- Editorial, Recent, Stories

ପ୍ରେମିକାର ସାନ ଭଉଣୀ… !!

Spread the love

ପ୍ରେମିକାର ସାନ ଭଉଣୀ…

A Soft Romantic Story By Manash Padhiary

ଖୋକାଭାଇ କହିଥିଲେ, ଯିଏ ଭୁଲି ଯାଏ ସେ ପ୍ରେମିକା.. ଯିଏ ଭୁଲେ ନାହିଁ ସେ ପ୍ରେମିକାର ସାନ ଭଉଣୀ । ମୋ ପ୍ରେମିକାର ସାନ ଭଉଣୀ ମୋତେ ଚିଠି ଦେଇଛି । ଚାରି ଫାଳର ଚିଠି । ଆଠ ବର୍ଷ ପରେ ପୋଷ୍ଟ୍ମ୍ୟାନ୍ ହାତରୁ ଚିଠିଟି ପାଇ ମୁଁ ଚମକି ପଡ଼ିଥିଲି । ଚିଠି ଉପରେ ପ୍ରିୟ ରବି ଭାଇ, ଆଉ ଚିଠି ତଳେ ତୁମର ମିତାଲି ।
ମିତାଲି.. ଶେଫାଳୀର ସାନ ଭଉଣୀ । ଆଉ ଶେଫାଳୀ, ଯାହା ପାଇଁ ଦିନେ ମୁଁ ହଜିଥିଲି କଦମ୍ବ ବନରେ, ଜ୍ୟୋସ୍ନାର ରାତିରେ, କୁହୁଡ଼ିର ବନ୍ୟାରେ.. ହଁ! ଆଜି ବି ମନେ ଅଛି ସେହି ପ୍ରଥମ ଦେଖା.. ସେହି ପ୍ରଥମ ପୁଲକ..
ଶେଫାଳୀ!!
ତାକୁ ଦେଖିଲି ବନମାଳିପୁର ଗାଁର ସେହି ବସ୍ ଷ୍ଟପ୍ରେ..
ବନମାଳୀପୁର ମୋ ବଡ ଭଉଣୀର ଶାଶୂଘର ଗାଁ । ମୁଁ ପ୍ରଥମ ଥର ଯାଇଥିଲି ଏକୁଟିଆ ଏକ ଅଚିହ୍ନା ଗାଁକୁ । ମନେଅଛି, ମୋର ବିଏ ସେକେଣ୍ଡ ଇଅର ପରୀକ୍ଷା ସରିଥିଲା । ମୁଁ ଚାରିଟା ବେଳକୁ ବସ୍ରୁ ଓହ୍ଲାଇଲି । ସେହି ଅଚିହ୍ନା ଗାଁରେ । ସମ୍ମୁଖରୁ ଆସୁଥିଲେ ପାଞ୍ଚ ସାତ ଜଣ କଲେଜ ପଢୁଆ ଝିଅ । ପିନ୍ଧିଥିଲେ ମେରୁନ୍ କଲର ସମ୍ବଲପୁରୀ ଧଡ଼ିଦିଆ ସାଲ୍ୱାର୍ । ବୋଧେହୁଏ ସେମାନଙ୍କ କଲେଜ ୟୁନିଫର୍ମ । ସେମାନଙ୍କ ଭିତରେ କିନ୍ତୁ ବାରି ହୋଇ ଯାଉଥିଲା.. ଜଣେ.. ହଂସ ମାନଙ୍କ ମଧ୍ୟରେ ରାଜ ହଂସୀ.. ଗୋଲାପ ଭିତରେ ରକ୍ତ ଗୋଲାପ.. ତାରା ଭିତରେ ଜହ୍ନ ।
ମୁଁ ପଚାରି ଦେଲି, ସୁଧାକର ମିଶ୍ରଙ୍କ ଘରଟା କହିପାରିବେ?
ସେମାନେ ଫିକ କରି ହସି ଦେଲେ । ମୁଁ ମନେ ମନେ ଚିଡି ଗଲି । ନିଜକୁ ଆଉ ଥରେ ଦେଖିଦେଲି । ନିଜ ପ୍ୟାଣ୍ଟ ଚେନ୍ ଚେକ୍ କରିବାକୁ ବି ଭୁଲିଲିନି । କିଛି ତ ନାହିଁ ହସିଲା ପରି, ହସିଲେ କାହିଁକି..??
ସେମାନଙ୍କ ମଧ୍ୟରୁ ଜଣେ କହିଲା, ଆମ ପଛରେ ଆସ । ଆମେ ପହଞ୍ଚାଇ ଦେବୁ, ସୁଧାକର ମିଶ୍ରଙ୍କ ଘରେ ।
ମୁଁ ଚାଲିଲି, ସେମାନଙ୍କ ପଛରେ । କିନ୍ତୁ ଦୃଷ୍ଟି ଥିଲା ଜଣକ ଉପରେ… ସେହି ରାଜହଂସୀ ଉପରେ । ଆମେ ଗାଁରେ ସାହି ପରେ ସାହି ଚାଲିବାକୁ ଲାଗିଥିଲୁ । ଜଣକ ପରେ ଜଣେ ଝିଅ ବାଏ କରି ବିଦାୟ ନେଉ ଥିଲେ । ଆଉ ଶେଷରେ ରହିଲେ ରାଜ ହଂସୀ ଆଉ ତା’ର ପ୍ରଧାନ ସଖି ।
ଆଉ କିଛି ସମୟ ପରେ, ସେ ପ୍ରଧାନ ସଖି ବି ବିଦାୟ ନେଲେ, ଆଉ ଗଲା ବେଳେ କହି ଗଲେ.. ଶେଫାଳୀ ଆପଣଙ୍କୁ ସୁଧାକର ମିଶ୍ରଙ୍କ ଘରେ ପହଞ୍ଚାଇ ଦେବ ।
ଜାଣି ଦେଲି.. ସେ ରାଜହଂସୀ ନାଁ ଶେଫାଳୀ..
ମୁଁ କହିଲି, ହାଏ ଶେଫାଳୀ!
ଶେଫାଳୀ ଟିକେ ହସିଦେଲା କହିଲା, ହାଏ!
ମୁଁ କହିଲି, ମୋ ନାଁ ସମ୍ପର୍କ ମିଶ୍ର । ଆଉ ଡାକ ନାଁ ରବି ।
ଶେଫାଳୀ କହିଲା, ସୁଧାକର ମିଶ୍ର ମୋର ବଡ଼ବାପା ।
ଏବେ ବୁଝିଲି । ମୋ ନାନୀଙ୍କ ଶଶୂରଙ୍କ ଝିଆରୀ ଏହି ସୁନ୍ଦରୀ । ଆଉ ତା’ ନାଁ ଶେଫାଳୀ ମିଶ୍ର । ବାକି ରାସ୍ତା ବହୁ ଜଲଦି କଟିଗଲା । ନାନୀ ଘର ପଡ଼ିଶାଘର ଥିଲା, ଶେଫାଳୀ ଘର ।
ଆଉ ସେଦିନ ରାତିରେ ଖାଇ ବସିଥିଲୁ.. ମୁଁ ,ଭାଇନା ଓ ନାନୀଙ୍କ ଶଶୂର ସୁଧାକର ମିଶ୍ର । ହଠାତ୍ ଗୋଟେ ଝିଅର ସ୍ୱର ଶୁଭିଲା, ଭାଉଜ ଭାଉଜ! ଶୁଣିଲି, ତୁମ ଘରକୁ ଗୋଟେ ହ୍ୟାଣ୍ଡ୍ସମ୍ କୁଣିଆ ଆସିଛନ୍ତି ।
ଏତିକି କହି ସେ ଯେତେବେଳେ ଭୁସ୍ କରି ପଶି ଆସିଲା । ସାମନାରେ ଆମ ସମସ୍ତଙ୍କୁ ଦେଖି, ଜିଭ କାମୁଡ଼ିଦେଲା । ଆଉ କହିଲା, ଇଲୋ ମା ଲୋ ।
ମୁଁ ଦେଖିଲି ସେ ଝିଅକୁ, ଭାବିଥିଲି ଶେଫାଳୀ ହୋଇ ଥିବ । କିନ୍ତୁ ଶେଫାଳୀର ଜେରକ୍ସ କପି । ଚଉଦ ପନ୍ଦର ବର୍ଷର ଝିଅଟେ, ବୋଧେ ହୁଏ ତା’ ସାନ ଭଉଣୀ ।
ସୁଧାକର ମଉସା ପାଟି କଲେ, “ହଇଲୋ ହୁଣ୍ଡି କାହିଁକି ଚିଲାଉଛୁ?”
ସେ ଝିଅଟି କହିଲା, “ନାଇଁ ମ ବଡବାବା! ତୁମ ଘରକୁ କିଏ କୁଣିଆ ଆସିଛନ୍ତି ତ ତେଣୁ ବୋଉ ଚିଙ୍ଗୁଡ଼ି ତରକାରି ପଠାଇଛି ।”
ସୁଧାକର ମଉସା କହିଲେ, “ହଉ ଆଉ ବକ ବକ କରନା.. ଦେ ଏଠି ।”
ସେ ଝିଅଟି ଚିଙ୍ଗୁଡ଼ି ତରକାରି ରଖିଦେଇ ସିଧା ପଶିଗଲା ରୋଷେଇ ଘରକୁ । ଆଉ ନାନୀ ସହ କ’ଣ ବକର ବକର ହେଉଥିଲା, କ୍ଲିଅର ଶୁଭୁ ନଥିଲା ।
ମୁଁ ହାତ ଧୋଇବାକୁ ଗଲି କିଚେନକୁ । ସେଠି ସେ ଝିଅଟି ମୋଆଡ଼କୁ ହାତ ବଢାଇ କହିଲା, “ହାଏ ହ୍ୟାଣ୍ଡସମ୍! ଆଇ ଆମ ମିତାଲି ।”
ମୁଁ ତାକୁ କହିଲି, “ହାଏ ସୁଇଟ ଗାର୍ଲ ।”
ସେ ହସିଦେଲା । ଆଉ ମୋ ଗାଲରେ ହାତମାରି ଟିକେ ଚିପି ଦେଇ କହିଲା, “ୟୁ ଆର ଅଲସୋ ସୋ ସୁଇଟ୍ । ଚିଙ୍ଗୁଡି ତରକାରୀ କେମିତି ଲାଗିଲା ।”
ମୁଁ କହିଲି, “ବହୁତ ଟେଷ୍ଟି..ତୁମେ କରିଥିଲ?”
ସେ କହିଲା, “ନା..ନାନୀ କରିଥିଲା ।”
ସତରେ ଖୁବ୍ ଭଲ ଲାଗିଥିଲା, ସେ ଚିଙ୍ଗୁଡ଼ି ତରକାରି । ଆଉ ସେ ଦିନ ରାତିରେ କାହିଁକି କେଜାଣି ମୋ ଆଖିକୁ ନିଦ ଆସି ନଥିଲା । ସବୁ ନିଦକୁ ଭସାଇ ନେଇ ଥିଲା, ଶେଫାଳୀ.. ମୋତେ ଲାଗୁଥିଲା ପ୍ରଥମ ଦେଖାରେ ମୁଁ ଯେମିତି ତାକୁ ଭଲପାଇ ବସିଛି ।
ତା’ ପରଦିନ ସକାଳ ।
ନାନୀ ଘର ବଗିଚାରେ ବୁଲୁଥିଲି । ଶେଫାଳୀକୁ ଦେଖିଲି, ବଗିଚାରେ । ଫୁଲ ତୋଳୁଥିଲା । ଭାଇ ଭାଇ ଘର । ଗୋଟେ ବଗିଚା ଥିଲା ।
ମୁଁ ଶେଫାଳୀ ପାଖରେ ପହଂଚିଲି । କହିଲି, ଗୁଡ୍ ମର୍ଣିଙ୍ଗ୍..
ଶେଫାଳୀ ହସିଦେଲା, କହିଲା.. ଗୁଡ୍ ମର୍ଣିଙ୍ଗ୍..
ମୁଁ ପଚାରିଲି.. ପୁଜା ପାଇଁ ଫୁଲ ତୋଳୁଛ ??
ଶେଫାଳୀ କହିଲା.. ନା.. ଏ ଟଗର ଫୁଲ ମାଳ କରି ନିଜେ ପିନ୍ଧିବି..
ଆଉ ଫିକକିନା ହସି ଦେଲା ।
ମୁଁ ଭାବୁଥିଲି ଏ ଗାଁ ଝିଅ ଗୁଡ଼ାକ ଖୁବ୍ ମାରାତ୍ମକ । ଯାହା ପଚାରିଲେ ଓଲଟା ଆନସର ।

ସେଦିନ ଦି’ପହରରେ ମିତାଲି ଆସିଥିଲା । ମୋତେ ଭିଡ଼ିନେଇ ଚାଲିଲା, ତାଙ୍କ ଗାଁ ବୁଲେଇବାକୁ ।
ମିତାଲି, ଗାଁ ଝିଅଟେ । କିନ୍ତୁ ଖୁବ ସ୍ମାର୍ଟ । ଆଉ ସେ ଗାଁ ଦାଣ୍ଡରେ ମୋ ହାତ ଧରି ଡଗ ଡଗ ହୋଇ ଚାଲୁଥିଲା, ଆଉ ଚାଲିଲା ବେଳେ ତା’ ପାଟିରେ ବାଟୁଳୀ ବାଜୁନଥିଲା । ମୁଁ କହିବି ବନମାଳୀପୁର ଗାଁରେ ବୋଧେ ମିତାଲିଠାରୁ ଭଲ କେହି ସେ ଗାଁକୁ ବୁଝି ନଥିବେ । ମିତାଲି ମୋତେ ଦେଖାଇଥିଲା, ତାଙ୍କ ଗାଁ ପୋଖରୀ.. ବୁଲାଇ ଥିଲା ଆମ୍ବ ତୋଟା.. ଝାଉଁ ବଣ.. ଶୁଣାଇ ଥିଲା ସୁଦୂର ସମୁଦ୍ରର ମୃଦୁ ଗମ୍ଭୀର ଗର୍ଜନ । ଦେଖାଇ ଥିଲା ଗାଁ ମାଇନର ସ୍କୁଲ ବଗିଚା, ଶିବ ମନ୍ଦିର । ସେହି ଭଙ୍ଗା କୋଠି ଯାହା ଭିତରୁ ଆଜି ବି ରାତି ହେଲେ କେଉଁ ଏକ ମୃତ ମହିଳାଙ୍କ କ୍ରନ୍ଦନ ଶୁଭେ । ଆଉ ବୁଲାଇଥିଲା ତା’ର ଗାଁ ହାଇସ୍କୁଲ ଯେଉଁଠି ସେ ଦଶମ ଶ୍ରେଣୀରେ ପଢେ ।
ମୁଁ ରହିଥିଲି ବନମାଳୀପୁରରେ ମାସଟିଏ । ଏ ମାସରେ ମୋର ଶେଫାଳୀ ଓ ମିତାଲି ସହ ବେଶ୍ ପରିଚୟ ହୋଇ ଯାଇଥିଲା । ମୁଁ ଶେଫାଳୀକୁ ଭଲ ପାଇ ବସିଥିଲି । କିନ୍ତୁ ସାହସ ହେଉନଥିଲା ପ୍ରପୋଜ କରିବାକୁ । ଯଦି ସେ ମନା କରି ଦେବ, କି କାହାକୁ କହିଦେବ! ନାନୀ ଶଶୂର ଘର କଥା । ମୋ ଇଜ୍ଜତର ବାର୍ ବାଜିଯିବ ।
ଶେଷରେ ସାହସ କରି ଚିଠିଟିଏ ଲେଖିଲି ।
ଶେଫାଳୀ ଉଦ୍ଦେଶ୍ୟରେ, ଭଲପାଇବାର କଥା ।
ଆଉ କହିଥିଲି, ଯଦି ସେ ମୋ ଭଲପାଇବାକୁ.. ମୋ ପ୍ରେମକୁ ଗ୍ରହଣ କରେ ଶିବ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ଅମୁକ ସମୟରେ ଆସି ଦେଖା କରିବ । ମୁଁ ଅପେକ୍ଷା କରିଥିବି । ଆଉ ଶେଫାଳୀ ଯଦି ନ ଆସେ, ମୁଁ ଭାବି ନେବି ସେ ମୋ ଭଲପାଇବାକୁ ଅସ୍ୱୀକାର କଲା ।
ଚିଠିଟା ଲେଖି ଦେଇଦେଲି ମିତାଲିକୁ । କହିଲି ତା’ ନାନୀକୁ ଦେଇ ଦେବାକୁ । ମୁଁ ବନମାଳୀପୁର ଛାଡ଼ିବାର ପୂର୍ବ ସନ୍ଧ୍ୟା । ମୁଁ ଅପେକ୍ଷା କରିଥିଲି ଶିବ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ । ଆମ୍ବ ଗଛ ମୂଳରେ । ପ୍ରବଳ ବର୍ଷା ହେଉଥିଲା । ସନ୍ଧ୍ୟା ଯାଇ ରାତି ହେଲା । କିନ୍ତୁୁ ଶେଫାଳୀ ଆସି ନଥିଲା । ଆଉ ତା’ ପର ଦିନ ସକାଳକୁ ମୁଁ ସବୁ ଦିନ ପାଇଁ ବନମାଳୀପୁର ଛାଡ଼ି ମୋ ସହରକୁ ବସ୍ ଧରିଲି ।
ବନମାଳୀପୁର ଛାଡ଼ିବା ପରେ ମୁଁ ଶେଫାଳୀକୁ ଭୁଲିଯାଇଥିଲି । ଆକର୍ଷଣ କମି ଯାଇଥିଲା । ମୁଁ ବ୍ୟସ୍ତ ରହିଲି ମୋ ପାଠ ପଢା ଚାକିରି ଖୋଜାରେ । ଚାରିବର୍ଷ ପରେ ଶେଫାଳୀ ସହ ସାକ୍ଷାତ ହୋଇ ଥିଲା ତା’ ବାହାଘରରେ । ଆମ ଘର ତରଫରୁ ମୋତେ ଦାୟିତ୍ୱ ଦିଆ ଯାଇଥିଲା ଭାର ବେଭାର ସହ ଯିବା ପାଇଁ ।
ସେଠି ସାକ୍ଷାତ ହୋଇ ଥିଲା ମିତାଲି ସହ ବି । ସେ ସାକ୍ଷାତ ଥିଲା ସେ ଦୁହିଁଙ୍କ ସହ ମୋର ଶେଷ ସାକ୍ଷାତ । ସେହି ସାକ୍ଷାତର ତିନି ବର୍ଷ ପରେ ସେହି ଶେଫାଳୀ ଏକଦା ମୋ ପ୍ରେମିକା, ତା’ ସାନ ଭଉଣୀ ଆଜି ଚିଠି ଦେଇଛି ।
ମିତାଲି ଚିଠି ଦେଇଛି । କହିଛି ସେ ଗୋଟେ ପ୍ରାୟଶ୍ଚିତ କରିବାକୁ ଚାହେଁ । ବିକଳ ଅନୁରୋଧ କରିଛି । ଥରୁଟିଏ.. ଥରୁଟିଏ ତାକୁ ସାକ୍ଷାତ କରିବାକୁ । ତା’ ମୋବାଇଲ୍ ନମ୍ବର ଦେଇଛି । ଭଦ୍ରକରେ ପହଂଚି ତାକୁ କଲ୍ କରିବାକୁ କହିଛି । ଶେଷରେ ଲାଲ୍ କାଳୀରେ ଲେଖିଛି, ଥରୁଟିଏ ରବି ଭାଇ! ଥରୁଟିଏ ଦେଖା କରିବ.. ମୋର ତୁମକୁ କିଛି ଦେବାର ଅଛି ।
ମୁଁ ତା’ ପରଦିନ ଯାଇ ପହଂଚି ଯାଇଥିଲି । ଭଦ୍ରକରେ । ସକାଳ ୧୦ଟାରେ । କଲ୍ କଲି ମିତାଲିକୁ । ମିତାଲି ଗୋଟେ ନର୍ସିଂଙ୍ଗ୍ ହୋମ୍ ଆଡ୍ରେସ୍ ଦେଲା । ମୁଁ ଆଶ୍ଚଯ୍ୟ ହେଲି । ନର୍ସିଂଙ୍ଗ୍ ହୋମ୍ରେ ମିତାଲି କ’ଣ କରୁଛି । ବୋଧହୁଏ ଚାକିରି କରୁଥିବ । ଶୁଣିଥିଲି ସେ ନର୍ସିଂଙ୍ଗ୍ ଟ୍ରେନିଙ୍ଗ୍ ନେଇ ସାରିଛି ।
କିନ୍ତୁ ମିତାଲିକୁ ଦେଖିଲି ୧୦୨ ନମ୍ବର ବଖରାର ବେଡ୍ରେ ଶଯ୍ୟାଶାୟୀ ଅବସ୍ଥାରେ । ସେ ମୋତେ ଦେଖି ବିହ୍ୱଳିତ ହୋଇଗଲା । ମୁଁ ତା’ ପାଖକୁ ଆସି ବସିଲି । ପଚାରିଲି, କ’ଣ ହୋଇଛି ତୋ’ର..
ବସ ରବି ଭାଇ! ବସ । ସବୁ କହିବି । ମୋର ଆଶା ନଥିଲା ତୁମେ ଆସିବ ବୋଲି । ମୁଁ ଗୋଟେ ବଡ ପାପ କରିଛି ରବିଭାଇ ଆଶା ତୁମେ ମୋତେ କ୍ଷମା ଦେବ ।
ଏତକ କହି ମିତାଲି ମୋତେ ଦୁଇଟା ଚିଠି ବଢାଇଦେଲା..
ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ଚିଠି ଦୁଇଟା ନେଇ ଦେଖିଲି । ସେହି ଚିଠି ଯାହା ମୁଁ ଶେଫାଳୀକୁ ଲେଖିଥିଲି, ସାତ ବର୍ଷ ତଳେ । ମିତାଲିକୁ ଦେଇଥିଲି, ତା’ ନାନୀକୁ ଦେବା ପାଇଁ । ଆଉ ଆର ଚିଠିଟା ଶେଫାଳୀ ଲେଖିଥିଲା.. ମୋତେ । କହିଥିଲା ସେ ମୋତେ ଭଲପାଏ, ଆଉ ମୁଁ ଯଦି ତା’ ଭଲ ପାଇବାକୁ ସ୍ୱୀକାର କରେ ସେହି ଦିନ ସେହି ସନ୍ଧ୍ୟାରେ ଶିବ ମନ୍ଦିରର ବାମ ପାଶ୍ୱର୍ରେ ଅପେକ୍ଷା କରିଥିବ ।
ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ମିତାଲି ମୁହଁଙ୍କୁ ଚାହିଁଲି । କାରଣ ମୁଁ ତ ଶେଫାଳୀର ଚିଠି ପାଇ ନଥିଲି ।
ମିତାଲି କହିଲା, “ମନେ ଅଛି ରବି ଭାଇ! ସେହି ସନ୍ଧ୍ୟା କଥା । ତୁମେ ଛିଡ଼ା ହୋଇଥିଲ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ନାନୀକୁ ଅପେକ୍ଷା କରି । ନାନୀ ଛିଡ଼ା ହୋଇଥିଲା ମନ୍ଦିର ବାମ ପାଶ୍ୱର୍ରେ ତୁମକୁ ଅପେକ୍ଷା କରି । ପ୍ରବଳ ବର୍ଷା ହେଉଥିଲା । ତୁମେ ଭିଜୁଥିଲ । ନାନୀ ଭିଜୁଥିଲା । ଆଉ ମୁଁ ଭିଜୁଥିଲି ମନ୍ଦିରର ମୁଖଶାଳା ପାଖରେ । ଫରକ ଏତିକି ତୁମେ ଦୁହେଁ ଭିଜୁଥିଲ ବର୍ଷାରେ, ଆଉ ମୁଁ ଭିଜୁଥିଲି ମୋ ଆଖିର ଲୁହରେ । ଇଚ୍ଛା ହେଉଥିଲା ଦଉଡ଼ି ଯିବି ତୁମ ପାଖକୁ । ଇଚ୍ଛା ହେଉଥିଲା ଦଉଡିଯିବି ନାନୀ ପାଖକୁ । ମିଶେଇ ଦେବି ତୁମ ଦୁହିଁଙ୍କୁ । କିନ୍ତୁ ନା’, ପାରିଲିନି । ଭୁଲ୍ କଲି.. ପାପ କଲି.. ଦୋଷ କଲି… କଲି.. କଲି, କାରଣ ମୁଁ ତୁମକୁ ଭଲ ପାଉଥିଲି ରବିଭାଇ! ବହୁତ ଭଲ ପାଉ ଥିଲି ।
କେଉଁ ଏକ ପରୀ କାହାଣୀର ନାୟକ ସାଜି ତୁମେ ଆସିଥିଲ ମୋ ଅନ୍ତରଙ୍ଗତାର ଅଙ୍ଗନ ଭିତରକୁ । ତୁମ ଯାଦୁର ସମ୍ମୋହନରେ ସମ୍ମୋହିତ ହୋଇ ମୁଁ ଭାସିଥିଲି । ତୁମେ ସ୍ୱପ୍ନ ପରି ଆସିଥିଲ । ମୋ ମନରେ ଆଶାର ଅଙ୍କୁର ଖେଳାଇଥିଲ । ମୋ ଛାତିର ଝରକା ଫିଟାଇ.. ଦେଇଥିଲ ପ୍ରେମର ଅସରନ୍ତିି ବାର୍ତା । ମୋତେ ଭସାଇଥିଲ ପ୍ରେମର ଝଡ଼ରେ.. ମୁଁ ହରାଇ ବସିଥିଲି ମୋ ଅସ୍ତିତ୍ୱ.. ମୁଁ ହରାଇ ବସିଥିଲି ମୋ ଅତୀତ ବର୍ତମାନ ସର୍ବସ୍ୱ ତୁମ ପାଖରେ.. ତୁମ ପ୍ରେମରେ ।
ତୁମ ଚିଠି ଥିଲା ମୋ ପାଖରେ । ନାନୀ ଚିଠି ଥିଲା ମୋ ପାଖରେ । ମୁଁ କିନ୍ତୁୁ ସ୍ୱାର୍ଥପର ସାଜିଥିଲି । କାହାକୁ ବି ଚିଠି ଦେଇ ନଥିଲି । କିପରି ଦେଇ ଥାନ୍ତି?? କ’ଣ ଏତେ ସହଜ ଦେଇ ଦେବା ନିଜ ପ୍ରେମକୁ, ନିଜ ଭଲପାଇବାକୁ.. ଅନ୍ୟ କାହାକୁ..
ମୁଁ ତ ସାଧାରଣ ଝିଅଟିଏ । ଦେବୀ ନୁହଁ କି ମହୀୟସୀ ମହିଳା ନୁହଁ । ଭୁଲ୍ କରିବା, ପାପ କରିବା, ଏତ ମୋ ରକ୍ତରେ ଅଛି । ଆଉ ଅଛି ମୋ ରକ୍ତରେ ତୁମକୁ ଭଲ ପାଇବା । ନିଜ ଜୀବନଠୁ ଅଧିକ, ବହୁତ ଅଧିକ । ସେ ଭଲପାଇବା ଆଗରେ ମୁଁ ସ୍ୱାର୍ଥପର ସାଜିଲି । ନା ତୁମ ମନକଥା ନାନୀକୁ ଜଣାଇଲି ନା ନାନୀ ମନ କଥା ତୁମକୁ । ଆଉ ବିଡ଼ମ୍ବନା ମୋ ମନ କଥା ବି ମନରେ ମାରି ରହିଲି । କେଉଁ ଏକ ଅପ୍ରତ୍ୟାଶିତ ଆଶାରେ ।
ତୁମେ ଗଲା ପରେ ଅନେକ କାନ୍ଦିଛି ରବି ଭାଇ । ଯେତେବେଳେ ଗାଁ ସାରା ଶୋଇଥାଏ, ତୁମକୁ ଭଲପାଉଥିବା ଶେଫାଳୀ ନାନୀ ଶୋଇ ସାରିଥାଏ, ଶେଫାଳୀ ଦିଦିକୁ ଭଲପାଉଥିବା ସଂମ୍ପର୍କ ମିଶ୍ର ଶୋଇସାରିଥାଏ, ମୁଁ କିନ୍ତୁ ସେତେବେଳେ ଚେଇଁ ଥାଏ, ତୁମକୁ ମନେ ପକାଇ କାନ୍ଦି କାନ୍ଦି ତକିଆକୁ ଭିଜାଉ ଥାଏ । ଘରର କବାଟ ଖୋଲି ବାହାରକୁ ଆସେ । ନିଦୁଆ ଲୁହ ଭରା ଆଖିରେ ଆକାଶକୁ ଚାହେଁ । ତାରା ମାନଙ୍କୁ ଗଣି ମନ ଭୁଲାଇବାକୁ ବୃଥା ଚେଷ୍ଟା କରେ । ଜହ୍ନକୁ ଦେଖି ଗୁଣୁ ଗୁଣୁ ହୋଇ ଗୀତ ଗାଏ । ପୁଣି ହଠାତ ନୀରବିଯାଏ । ଘର ଭିତରକୁ ଦଉଡ଼ିଯାଇ ଲୋଟିପଡ଼େ ବିଛଣାରେ । କଇଁ କଇଁ ହୋଇ କାନ୍ଦି ପୁଣି ଭିଜାଏ ତକିଆକୁ । ନାନୀ ଉଠି ପଡ଼େ । ମୋ ଲୁହର ବିନ୍ଦୁରେ ଖୋଜେ ତା’ ବୋହିବାର କାରଣ ସବୁ । ମୋତେ ପଚାରେ ଅୟୁତ ଅୟୁତ ପ୍ରଶ୍ନ । ଯାହାର କିଛି ବି ଉତର ନଥାଏ ମୋ ପାଖରେ, କି ଉତର ଦେବି?? ସବୁ ଉତରରେ ତ, ତୁମେ ଥାଅ ରବି ଭାଇ..!!
ଶେଷଥର ତୁମକୁ ଦେଖିଥିଲି ନାନୀ ବାହାଘରରେ । ତୁମେ ଖାଇ ବସିଥିଲ, ଆମ ଖଳା ବାରିରେ ପଡିଥିବା ଡାଇନିଂ ଟେବୁଲରେ । ତୁମ ପତ୍ରରେ ବଢା ସରିଥିଲା ଧୋବ ଫରଫର ବାସୁମତୀ ଅରୁଆ ଚାଉଳର ଭାତ.. ଗୁଆଘିଅରେ ଛୁଙ୍କ ହୋଇଥିବା ଆମ ଗାଁ ମୁଗ ଡାଲି.. ଆମ ପୋଖରୀର ଭାକୁର ମାଛ ବେସର.. ମାଟିଆଳୁ, ବୋଇତାଳୁ, କଖାରୁ, ଅମୃତଭଣ୍ଡା, ସଜନାଛୁଇଁ, ଓଉ ପଡିଥିବା ଘାଂଟ ତରକାରି ।
ହାଡୁ ମଉସା ଚିଲାଉ ଥିଲେ, ଆରେ ହରି! ସେପଟେ ଡାଲି ମାଗୁଛନ୍ତି । ଯଲଦି ଯା । ସନିଆ ଭାଇ ପରଶୁ ଥିବ ଭାତ । କାଳିଆ ନନା ଧରିଥିବେ ମାଛ ବେସର । ଶମ୍ଭୁକକା ଖିରି ବାଲ୍ଟି ଧରି ଖିରି ଡଙ୍କିକୁ ବାଲ୍ଟିରେ ବାଡ଼େଇ, ଚିଲାଉଥିବେ ଖିରି ଖିରି । ଆଉ ଏତେ ଗହଳି, ଏତେ ବ୍ୟସ୍ତତା ଭିତରେ ମୁଁ କିନ୍ତୁ ଥିଲି ଏକୁଟିଆ, ନିଃସଙ୍ଗ.. ତୁମ ପାଇଁ ରବି ଭାଇ .. ତୁମପାଇଁ..
ରବି ଭାଇ!! ତୁମେ ପରା ଭଲ ପାଉଥିଲ ଶେଫାଳୀ ନାନୀକୁ, ନାନୀ ପରା ଭଲପାଉଥିଲା ତୁମକୁ । କାହିଁ ମୁଁ ତ ଦେଖିନାହିଁ କିଛି ବ୍ୟାକୁଳତା । ଭଲ ପାଇବାର ଭାବପ୍ରବଣତା । ନାନୀ ଭୁଲି ଗଲା ତୁମକୁ । ପରେ ରମେଶ ଭାଇଙ୍କୁ ଭଲପାଇ ବାହା ହୋଇ ଚାଲିଗଲା । ତୁମେ ଭୁଲିଗଲ ନାନୀକୁ ଆଉ ଥରେ ବି ଚେଷ୍ଟା କଲନାହିଁ ପାଇବାକୁ ତା’ ପ୍ରେମକୁ ।
କିନ୍ତୁ ମୁଁ କ’ଣ ଭୁଲି ପାରିଲି?? ତୁମକୁ.. କାହିଁ ଆଉ କେହି ତ ଆସିଲେନି ମୋ ଜୀବନରେ । କେତେ ପୁଅ ପ୍ରପୋଜ୍ କଲେ । ସମସ୍ତଙ୍କୁ ମୃଦୁ ହସି ପ୍ରତ୍ୟାଖାନ କଲି । ଘରେ ବାବା ମା’ ଅନେକ ପ୍ରସ୍ତାବ ଆଣିଲେ ମୋ ବାହାଘର ପାଇଁ । ସମସ୍ତଙ୍କୁ ମନା କରି ଦେଲି । କିପରି ଗ୍ରହଣ କରିଥାନ୍ତି ସେ ସବୁ ପ୍ରସ୍ତାବ?? ତୁମକୁ ନିଜ ହୃଦୟ, ନିଜ ଅନ୍ତରରେ ସର୍ବୋଚ୍ଚ ସ୍ଥାନ ଦେଇ ସାରିଥିଲି । ସେହି ବନମାଳୀପୁର ଗାଁର.. ସେହି ତିରିଶ ଦିନର ତୁମର ରହଣି ଭିତରେ.. ତୁମକୁ କରି ସାରିଥିଲି ନିଜର ।
କିନ୍ତୁ ଯେତେ ଭଲପାଇଲେ ବି, ମନ ମଧ୍ୟରେ ଏକ ପାପ, ଏକ ଅପରାଧବୋଧ ଭାବ, ଏକ ଅବସୋସ, ମୁଁ ଦୋଷୀ ତୁମ ପାଖରେ, ନାନୀ ପାଖରେ । ନାନୀକୁ କ୍ଷମା ମାଗି ସାରିଛି, କେବଳ ତୁମକୁ ମାଗିବା ବାକି ଅଛି । ମୋତେ କ୍ଷମା ଦେବ ନାହିଁ ରବି ଭାଇ! ରକ୍ତକର୍କଟ ରୋଗର ଜୀବାଣୁ ଗୁଡିକ ମୋ ଆୟୁଷକୁ ସାରି ସାରିଲେଣି । ଆଉ କିଛି ମାସର ଜୀବନ ମୋ ପାଖରେ । ସେତିକି ଦିନ ବିନା ଅପରାଧ ବୋଧରେ ବଂଚିବାକୁ ଚାହେ । ମୋତେ ସେତିକି ଦିନ ଦେଇଦିଅ । ମୋତେ କ୍ଷମା କରି ଦିଅ ରବି ଭାଇ!!”
ଏତିକି କହି ମିତାଲି ଭେଁ ଭେଁ କରି କାନ୍ଦି ପକାଇଲା ।
ମୋ ପାଖରେ ଭାଷା ନଥିଲା । ମନେ ପଡୁଥିଲା ସଦା ନମସ୍ୟ ଖୋକା ଭାଇଙ୍କ ସେହି କଥା ପଦକ..
ଯିଏ ଭୁଲିଯାଏ ସେ ପ୍ରେମିକା, ଯିଏ ଭୁଲେ ନାହିଁ ସେ ପ୍ରେମିକାର ସାନ ଭଉଣୀ..
ମୁଁ ଦେଖୁଥିଲି ମୋ ପ୍ରେମିକାର ସେହି ସାନ ଭଉଣୀକୁ..ମୁଁ ଦେଖୁଥିଲି ପ୍ରେମର ସେହି ଦେବୀକୁ..ମୋତେ ନୀରବ ଭାବରେ ଭଲପାଇଥିବା ସେହି ଛୋଟ ଝିଅକୁ ଯାହା ପାଖରେ ମୁଁ ଆହୁରି ଛୋଟ ହୋଇ ଯାଉଥିଲି.. ଭାବୁ ଥିଲି କାହିଁକି ଈଶ୍ୱର ଆମକୁ ଶକ୍ତି ଦେଇ ନାହାଁନ୍ତି, ବୁଝିବାକୁ ଆମକୁ ନୀରବ ପ୍ରେମ କରୁଥିବା ମନର ଅନ୍ତନିର୍ହିତ ଭାଷାକୁ ।
ମୁଁ ବିଦାୟ ନେଇ ଆସୁଥିଲି । ମୋ ଆଖି ଲୁହରେ ଭରି ଯାଉଥିଲା । ଭାବୁଥିଲି କାହିଁକି ଈଶ୍ୱର ଏହି ଛୋଟ ଝିଅର ଜୀବନକୁ ଏତେ ଛୋଟ କରି ଦେଇଛନ୍ତି, ଯାହା ଭଲପାଇବାକୁ ଗ୍ରହଣ କରିବାକୁ ମୋ ମନରେ ଶକ୍ତି ନଥିଲା, ସାହାସ ନଥିଲା । ମୁଁ ନର୍ସିଂଙ୍ଗ ହୋମ୍ର ସେ ରୁମ୍ରୁ ବାହାରି ଯାଉଥିଲି ନିଜ ଆଖିର ଲୁହକୁ ପୋଛି ।
ମିତାଲି ପଛରୁ ଡାକିଲା ରବି ଭାଇ..
ମୁଁ ଫେରିଲି ତା’ ବେଡ୍ ପାଖକୁ..
ଆଉ ମୋ ହାତରେ ଧରେଇଦେଲା କିଛି..
ମୁଁ ହାତ ଖୋଲି ଦେଖିଲି ସିନ୍ଦୂର ଫରୁଆଟିଏ..
ମୁଁ ସେ ଫରୁଆ ଖୋଲି ଟିପରେ ଟିପେ ସିନ୍ଦୂର ନେଲି..ଆଉ ମିତାଲି ମଥାରେ ଲଗାଇଦେଲି ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *