- Editorial, Recent, Stories

ଗୋଟେ ଦାଦନର ପ୍ରେମକାହାଣୀ..

Spread the love

ଗୋଟେ ଦାଦନର ପ୍ରେମକାହାଣୀ..

A Short Story By Manash Padhiary

ଜହ୍ନ ରାତି । ସୁଲୁ ସୁଲୁ ଶୀତୁଆ ପବନ । କୁସୁମୀ ନଈର ବୋହି ଯାଉଥିବା ପାଣିର କୁଳୁକୁଳୁ ସ୍ୱର । ଗାଁ ମନ୍ଦିରର ଘଂଟାର ସେ ଧ୍ୱନୀ । ସନ୍ଧ୍ୟାର ସେ ଭାଗବତ ଟୁଙ୍ଗୀର ଭାଗବତ କଥା । ଗାଁ ପୋଖରୀ ତୁଠର ସେ ଖଟି । ପୋଖରୀ କୂଳର ସେ ଖିରି କୋଳି କଂଟେଇ କୋଳି । ଆଖୁ ଶାଳର ଆଖୁ ଦୋରୁଅ, ବାରିର ଫୁଟିକାକୁଡି ତା ସହ ଶାଳ ଉଖୁଡ଼ା । ତୋ ବୋଉ ବାଢି ଦେଇଥିବା ସେ ପଖାଳ କଂସା, ଶାଗ ବଡ଼ି ଓ ଲୁଣିଶୁଖୁଆର ମୋହକୁ ଛାଡ଼ି ତୁ କଣ ପାଇଁ ଦାଦନ ଖଟିବାକୁ ଯିବୁ ଆନ୍ଧ୍ର ।
କଣ ନାହିଁ ଆମର..କୁସୁମୀ ପାଣି ଦେଇଛି..ମାଟି ମା ଦଉଛି ଧାନ..ମୁଗ..ବିରି.. । ତୋଟା ଦେଇଛି ଆମ୍ବ ପଣସ..ଗାଁ ସାରା ଦେଇଛନ୍ତ ସ୍ନେହ ଶ୍ରଦ୍ଧା ଅସରନ୍ତି ଭଲପାଇବା । କଣ ମିଳିବ ସେ ଦୂର ରାଇଜର ମୋହରୁ..ଜାଣିନୁ ଦୂର ପରବତ ସବୁବେଳେ ସୁନ୍ଦର ।
ବାପା ବହୁତ ବୁଝେଇଲେ ।
ମାଆ କାନ୍ଦି କାନ୍ଦି କହିଲା, ଆମର ଛଅଟା ନାହିଁକି ନଅଟା ନାହିଁ । ତୁ ଗୋଟିଏ । ଆମର ଯେତିକି ଜମି ଅଛି, ସେଥିରେ ଆମ ଗୁହାଳ ହାଣ୍ଡି କେବେ ଖାଲି ପଡ଼ିବନି । ଆମେ ଦୁହେଁ ମଶାଣିରେ ଗୋଟେ ଗୋଡ଼ ଦେଇ ବସିଛୁ । ତୁ ଏ ସମୟରେ ଆମକୁ ଛାଡ଼ି ସେ ଦୂର ରାଇଜକୁ ଯିବୁ ଦାଦନ ଖଟିବାକୁ ।
ବାପା କହି କହି ଥକି ଗଲେ..ମା ବି ବୁଝେଇ ପାରିଲାନି ।
ପୁଅର ଇଚ୍ଛା ନାହିଁ ଗାଁ ମାଟିରେ ମାଟି ହୋଇ ପଡ଼ିବାକୁ । ଆଠ ମାଣ ଜମିରେ କେତେ ଧାନ କଅଁଳୁଛି ଯେ, ସେ ଏଠି କି ସ୍ୱପ୍ନ ଦେଖିବ? ବର୍ଷେ ମରୁଡ଼ି ହେଲେ ବର୍ଷେ ପଟୁ ଚରୁଛି । ଏ ଗାଁରେ ତାର କି ଭବିଷ୍ୟତ.. ଏଠି ରହିଲେ ତା ବାପା ପରି ସେ ବି ମାଟି ହୋଇଯିବ.. ଆକାଶରେ ବାଦଲ ଖୋଜି ଖୋଜି ଜୀବନ ବିତିବ । ସେ ଦୂର ରାଇଜ ଯିବ..ନୂଆ ସହର ଦେଖିବ..ନୂଆ କାମ ଶିଖିବ.. ନୂଆ ନୂଆ ଲୋକଙ୍କ ସହ ମିଶିବ ।
ଦଲାଲ ସହ କଥା ହୋଇ ସାରିଛି, ମାସକୁ ଚାରି ହଜାର ଆଠଶ ଦରମା । ରହିବା ଖାଇବା ଅଲଗା ।
ସବୁ ହିସାବ ନିକାସ ସାରିଦେଲା…ସବୁ ମାୟା ମୋହକୁ କାଟି ଦେଲା । ଗାଁ ବସ୍ ଷ୍ଟାଣ୍ଡରେ ଯେତେବେଳେ ଖୋରଧା ଉଦ୍ଦେଶ୍ୟରେ ବସ୍ ଧରିଲା । ଥରୁଟିଏ ଅନେଇଲା ପଛକୁ । ଦିଶୁଥିଲା ମା ଆଖିର ଲୁହ । ବାପା ଛାତିର କୋହ । ସାଙ୍ଗସାଥି..ଗାଁ କାକା ମଉସାଙ୍କ ସେ ଛଳ ଛଳ ଆଖିର ପ୍ରଶ୍ନ..ଯାଉଛୁ..ପୁଣି କେବେ ଆସିବୁ । ଗାଡ଼ିର ହର୍ଣ୍ଣ ସହ.. ମଦନ ଆଖିରୁ ବି ଖସି ପଡ଼ିଲା ଦୁଇ ଟୋପା ଗରମ ଲୁହ । ସେ ଲୁହକୁ ପୋଛି ଏକ ସୁନ୍ଦର ଭବିଷ୍ୟତ ପାଇଁ ଗାଡ଼ି ସହ ଆଗେଇ ଚାଲିଲା ମଦନ ।
ମଦନ । କୋଡ଼ିଏ ବର୍ଷର ଭେଣ୍ଡା ଟୋକାଟେ । ମେଟ୍ରିକ ଦୁଇଥରରେ ପାସ୍ କଲା ପରେ ପାଠଘରେ ଡୋରି ବନ୍ଧାହେଲା । ବାପା ସହ ସେ ଜମିରେ ଯାଇ କାଦୁଅ ହେଲା । ଗାଁ ଘର ଆଗରେ ତେଜରାତି ଦୋକାନଟେ ବି ଦେଲା । ନୟାଗଡ଼ରେ ଗୋଟେ ଗାଡ଼ି ଶୋରୁମ୍ରେ ବି କିଛି ଦିନ କାମ କଲା । କିନ୍ତୁ କେଉଁଥିରେ ବି ମନ ଲାଗିଲାନି । ମନ ଯାଇ ଥିଲା ଦୂର ସହରରେ । କେଉଁ ଏକ ସ୍ୱପ୍ନ ରାଜ୍ୟରେ । ସେ ସ୍ୱପ୍ନ ରାଜ୍ୟର ମୋହ ଆଗରେ ବାପା ମା, ବନ୍ଧୁ ପରିଜନଙ୍କ ଲୁହ ପାଣି ହୋଇ ବୋହି ଗଲା ।
ଦିନ ୩ଟା ୫୦ରେ ଖୋରଧା ଜଟଣୀ ରୋଡ୍ ଷ୍ଟେସନରୁ କୋଣାର୍କ ଏକ୍ସପ୍ରେସ ଧରିଲା । ମଦନ ପୂର୍ବରୁ ଥରେ ଟ୍ରେନ୍ରେ ବସିଥିଲା । ପୁରୀ ଯିବା ପାଇଁ । ଆଜି ଦ୍ୱିତୀୟ ଥର ସେ ଟ୍ରେନ୍ରେ ବସିଛି । ସାଙ୍ଗରେ ସେ ତେଲେଙ୍ଗା ଦଲାଲ ଓ ତା’ରି ଭଳି ଆହୁରି ଦଶ ଜଣ ଯୁବକ । ମଦନ ନିଜ ବ୍ୟାଗ୍ଟା କୋଳରେ ଚାପି ବସିଥାଏ । ସାମାନ୍ୟ ଭୟ ବି ଲାଗୁଥାଏ । ବାପା, ମା, ଗାଁ ମନେ ବି ପଡୁଥାଏ । କୋଣାର୍କ ଏକ୍ସପ୍ରେସ୍ ତାର ଫୁଲ୍ ସ୍ପିଡ୍ ଧରି ସାରିଥିଲା ।
ବିଶାଖାପାଟନାରେ ଟ୍ରେନ୍ ରାତି ୧୧ଟାରେ ପହଂଚିଲା । ଷ୍ଟେସନ ବାହାରେ ଗୋଟେ ଗାଡ଼ି ସେମାନଙ୍କୁ ଅପେକ୍ଷା କରି ରହିଥିଲା । ଦଲାଲ ଗାଡ଼ି ଡ୍ରାଇଭର ସହ କଣ ପଦେ ଦି ପଦ କଥା ହୋଇ ବିଦାୟ ନେଲା । ମଦନ ସହ ସମସ୍ତେ ସେ ଗାଡ଼ି ଭିତରେ ଗୁଂଜାଗୁଂଜି ହୋଇ ବସିଲେ । ଗାଡ଼ି ଗଡ଼ି ଚାଲିଥିଲା, ବାଟ ସରୁ ନଥିଲା । ସମସ୍ତେ ଶୋଇ ପଡ଼ିଥିଲେ । ନିଦ ଭାଙ୍ଗିଲା ଡ୍ରାଇଭରର ଡାକରେ ।
ଭୋର୍ ହୋଇ ସାରିଥିଲା । ସୂର୍ଯ୍ୟ ଉଇଁ ସାରିଥିଲେ । ଆଜି ସୂର୍ଯ୍ୟ କିନ୍ତୁ ତାଙ୍କ ଗାଁ ମୁଣ୍ଡିଆ ଉପରୁ ନୁହେଁ, ଉଇଁଥିଲା ଏକ ଅଚିହ୍ନା ଯାଗାରୁ..ଆଉ ସେ ସୂର୍ଯ୍ୟ ମଦନକୁ ଲାଗୁଥିଲା ଅଚିହ୍ନା ଅଚିହ୍ନା । ସେ ଯାଗା ନା ଥିଲା ସହର ନା ଗାଁ । ଥିଲା ଏକ ବିରାଟ ପଡ଼ିଆ । ଦୂର ଦୁରକୁ ଘର ବଜାର କିଛି ବି ଦିଶୁ ନଥିଲା । ଚାରି ଆଡ଼େ ଖାଲି ଇଟା ଭାଟି । ମାଳ ମାଳ ଠିକା ଶ୍ରମିକ ଓ ସେମାନଙ୍କ ରହିବା ପାଇଁ ଟିଣ ଆଜବେଷ୍ଟସ ଘର ।
ତିନି ମାସ ବିତି ଗଲାଣି । ମଦନର ସ୍ୱପ୍ନ ଭାଙ୍ଗି ସାରିଲାଣି । ଏବେ ମାଆ ବହୁତ ମନେ ପଡ଼ୁଛି । ବାପାର ଗାଳି ମନେ ପଡୁଛି । କୁସୁମୀ ନଇର ପାଣି ମନେ ପଡୁଛି । ଗାଁ ଆମ୍ବ ତୋଟା ମନେ ପଡୁଛି । ପୋଖରୀ କୂଳର ଖଟି ମନେ ପଡ଼ୁଛି । ମା ବାଢି ଦଉଥିବା ପଖାଳ କଂସା ମନେ ପଡ଼ୁଛି ।
ଚାରି ହଜାର ଆଠ ଶହ ଯାଗାରେ ମିଳୁଛି ତିନି ହଜାର । ବାକି ଅଠର ଶହ ପରେ ମିଳିବ ବୋଲି କୁହା ଯାଇଛି । ଦିନକୁ ଦୁଇ ବେଳା ଭାତ ଓ ସମ୍ବର ପାଣି ମିଳୁଛି । କେବେ କେବେ ବାଇଗଣ କି କୁନ୍ଦୁରି ଭଜା । ସକାଳ ୭ରୁ ରାତି ୮ ହାଡ଼ଭଙ୍ଗା ପରିଶ୍ରମ । ରହିବା ପାଇଁ ଦଶରେ ଦଶ ବଖରାଟେ । ସେଥିରେ ଛଅ ଜଣ । କୁକୁର ପିଲା ପରି ଜାକିଜୁକି ଶୋଉଛନ୍ତି । ଆସିଲା ଦିନଠୁ କୁଆଡେ ଯିବା ବି ହୋଇନି । ଯେଉଁ ସହର ସେ ବୁଲିବ..ଦେଖିବ ବୋଲି ସ୍ୱପ୍ନ ଦେଖିଥିଲା । ସେ ସ୍ୱପ୍ନ କେଉଁ ଏକ ଅପହଂଚ ଇଲାକାରେ କବର ପାଇ ସାରିଲାଣି । ଏଠି ଖାଲି ଚାରି ଆଡ଼େ ମାଟି, ପଡ଼ିଆ, ଇଟାଭାଟି…ଆଉ ତାରି ପରି ଗାମୁଛା ଓ ହାଫ ଗଂଜି ପିନ୍ଧା ମଣିଷ..
ସେଦିନ ଥିଲା ଗୋଟେ ଜହ୍ନ ରାତି । ଦିନ ତାରିଖ ମନେ ନାହିଁ । ଦାଦନର ବୋଧେ ଦିନ ରାତିର ହିସାବ ରଖିବା ଦରକାର ନଥାଏ । ସେଦିନ ରାତିରେ ମଦନର ଡ୍ୟୁଟି ପଡ଼ିଥାଏ ଖନ୍ଦାଶାଳ, ମାନେ ରୋଷେଇ ଘରେ, ଯେଉଁଠି ସବୁ ଶ୍ରମିକମାନଙ୍କ ପାଇଁ ରୋଷେଇ କରାଯାଏ । ଦୁଇଶହରୁ ଅଧିକ ଲୋକଙ୍କ ପାଇଁ ରୋଷେଇ କରିବା ବି ଗୋଟେ ବଡ଼ କାମ । ସେଥିପାଇଁ ଛଅ ସାତ ଜଣ କାମରେ ଲାଗିଥାନ୍ତି । ସେଇଠି ମଦନ ପ୍ରଥମ ଥର ତାକୁ ଦେଖିଲା । ଅଠର ଉଣେଇଶ ବର୍ଷର ଝିଅଟେ । ଟିକେ ଶାବନା । କିନ୍ତୁ ଗଢଣ ଭଲ । ଆଗରୁ ତାକୁ କେବେ ଲକ୍ଷ୍ୟ କରି ନଥିଲା ମଦନ । ହୁଏତ ଏତେ ଲୋକଙ୍କ ଭିତରେ କେବେ ଦେଖି ପାରି ନଥିବ ।
“ଟିକେ ସେ ପନିକିଟା ଦେଲ..”
ଏଇଟା ଥିଲା ତା ମୁହଁର ପ୍ରଥମ ଧାଡ଼ି । ସ୍ୱରଟା ବି ବହୁତ ଭଲ ଲାଗିଲା । ମଦନ ପନିକିଟା ବଢେଇ ଦେଇ ତା ପାଖକୁ ଟିକେ ଘୁଂଚି ଯାଇ ପଚାରିଲା, “ତୋ ନାଁ କଣ?”
ଝିଅଟି ଉତର ଦେଲା-କୁସୁମୀ..
ଖୁବ୍ ମଧୁର ଓ ମନଜିଣା ଥିଲା ତା କଣ୍ଠ ସ୍ୱର । ସତେ ଯେପରି କାନ ପାଖରେ ନଈଟିଏ ବୋହିଗଲା କୁଳୁକୁଳୁ କରି । କୋଇଲିଟିଏ ବୋବେଇ ଦେଲା କୁହୁକୁହୁ କରି ।
ମଦନ କହିଲା, “ଜାଣୁ ଆମ ଗାଁ ପାଖରେ ଗୋଟେ ନଈ ବହିଯାଉଛି..ତା ନାଁ ବି କୁସୁମୀ..ତୁ କଣ ସେହି ନଈ ।”
ଝିଅଟି ଏଥର ମଦନକୁ ଅନେଇଲା । ଟିକେ ହସିଦେଇ ଲାଜେଇ କହିଲା, “ମୁଁ କିପରି ନଈ ହେବି ଯେ?”
ମଦନ ଏଥର କହିଲା, “ତୁ ଜାଣିନୁ..ତୁ ଆମ କୁସୁମୀ ନଈଠୁ ବି ଅଧିକ ସୁନ୍ଦର ।”
କୁସୁମୀ ଟିକେ ମୁହଁ ମୋଡ଼ିକି କହିଲା, “ଧେତ୍.. ଛୋପରା.. ତୋ ନାଁ କଣ?”
ମଦନ ତା ନାମ କହି ପଚାରିଲା, “ତୋ ଗାଁ କେଉଁଠି?”
କୁସୁମୀ ଉତର ଦେଲା, “ତାଳ ବଣ..ଜଗତ୍ସିଙ୍ଗପୁର ।”
ସେତିକି ବେଳେ ସେ ନିଶୁଆ ଲୋକଟି ପାଟି କରି ଉଠିଲା ଅଧା ତେଲେଙ୍ଗା ଅଧା ଓଡ଼ିଆ ଭାଷାରେ, ତୁମେ ଦୁଇଟା ସେଠି କଣ ଗପୁଛ? ହାତଚଲା..
ସେଦିନ ପରେ ସେ ନର୍କ ଭିତରେ ମଦନକୁ ସତେ ଯେପରି ମିଳିଗଲା ଗୋଟେ ବଂଚିବାର ରାହା ।
ତା ଆଖି ସବୁବେଳେ କୁସୁମୀକୁ ଖୋଜିବାକୁ ଲାଗିଲା । କିନ୍ତୁ ଏତେ ବଡ଼ ଇଟାଭାଟି ସେ କେଉଁ ପଟେ କାମ କରୁଥିବ? ମଦନକୁ ତାକୁ ପାଇବା ଅମାବାସ୍ୟାରେ ଜହ୍ନ ଖୋଜିଲା ପରି ଲାଗିଲା । ପ୍ରାୟ ପନ୍ଦର ଦିନ ପରେ ମଦନ ତାକୁ ଦେଖିଲା । ସେଦିନ ସନ୍ଧ୍ୟାରେ ମଦନ କାମ ସାରି ତା ରହିବା ଘରକୁ ଫେରୁଥିଲା । ଭିଡ଼ରେ ଚାଲିଲା ବେଳକୁ ପଛରୁ ଦୁଇ ତିନିଟା ଝିଅଙ୍କ କଥା ବାର୍ତା ଶୁଭିଲା । ମଦନକୁ ଲାଗିଲା, ଗୋଟେ ଚିହ୍ନା ଶୁଣିବା ସ୍ୱର । ସେ ଚମକି ପଡ଼ି ପଛକୁ ଅନେଇଲା । ସନ୍ଧ୍ୟାର ସେହି ମୁହଁଅନ୍ଧାରରେ ମଦନ ପରିସ୍କାର ଦେଖିଲା, ଯାହାକୁ ଏତେ ଦିନ ହେଲା ଖୋଜୁଥିଲା ସେଇ.. କୁସୁମୀ ।
ମଦନ ଅଟକିଗଲା । ସେମାନେ ତା ପାଖଦେଇ ଚାଲିକି ଗଲାବେଳେ ମଦନ ଡାକିଲା କୁସୁମୀ! କୁସୁମୀ ଚମକି ପଡ଼ି ରହିଗଲା, ତା ସାଥି ଦୁଇ ଝିଅଙ୍କୁ କହିଲା, “ତୁମେ ଦୁହେଁ ଯାଅ । ମୁଁ ପଛରେ ଆସୁଛି ।”
କୁସୁମୀ ମଦନ ପାଖରେ ରହିଯାଇ ପଚାରିଲା, “ହଁ କଣ ପାଇଁ ଡାକିଲ?”
-କାହିଁ ତତେ ଡାକିବା କଣ ମନା କି?
କୁସୁମୀ କହିଲା, “ମନା ନୁହଁ ଯେ, କିନ୍ତୁ କି କାମ ଅଛି ସେଥିପାଇଁ ପଚାରିଲି ।”
ମଦନ କହିଲା, “ତୋ କାମ ସରିଲାଣି । ଚାଲୁନୁ ସେ ପଥର ବନ୍ଧ ଉପରେ କିଛି ସମୟ ବସିବା । ଟିକେ ସୁଖ ଦୁଃଖ ହେବା ।”
କୁସୁମୀ କହିଲା, “ଏଁ..ମୁଁ ତୁମକୁ ଚିହ୍ନିନି କି ଜାଣିନି । ତୁମ ସହ ବସି କି ସୁଖ ଦୁଃଖ ହେବି?”
ମଦନର ସିଧା ଉତର ଥିଲା, “ଆରେ ବସିଲେ..କଥା ହେଲେ ଚିହ୍ନା ଜଣା ହୋଇଯିବନି । ତୁ ଓଡ଼ିଆ ମୁଁ ଓଡ଼ିଆ, ତୋ ଠାକୁର ଜଗନ୍ନାଥ, ମୋ ଠାକୁର ଜଗନ୍ନାଥ ; ଏତିକି କଣ ଯଥେଷ୍ଟ ନୁହଁ ଏ ତେଲେଙ୍ଗା ରାଜ୍ୟରେ ଟିକେ କଥା ହେବାକୁ । ସୁଖ ଦୁଃଖ ବାଂଟିବାକୁ । ଅଧିକ ଚିହ୍ନା ପରିଚୟ କଣ ଦରକାର ।”
ମଦନର ସ୍ପଷ୍ଟ ଉତର ପ୍ରଭାବିତ କଲା କୁସୁମୀକୁ ।
କିଛି ସମୟ ପରେ ଦୁହେଁ ବସିଥିଲେ, ପଥର ବନ୍ଧ ଉପରେ । ଅନ୍ଧାର ପକ୍ଷ ଥିଲା । ମୁହଁକୁ ମୁହଁଦିଶୁ ନଥିଲା । ସୁଲୁସୁଲୁ ପବନ ବହୁଥିଲା । କିଛି ସମୟ ଚୁପଚାପ୍ ବସିଲା ପରେ ମଦନ କହିଲା, “କୁସୁମୀ! ଗୋଟେ କଥା କହିବି, ରାଗିବୁନି । ମୋ ଘର ନୟାଗଡ଼ର କୁସୁପୁରୁ । ଗାଁରେ ବାପା ମାଆ । ମୁଁ ଗୋଟିଏ ପୁଅ । ଆଠ ମାଣ ଚାଷ ଜମି ଓ ଘର ଡିହ ଅଛି । ଘରେ ମନା କରୁଥିଲେ, ତଥାପି ମୁଁ ଧାଇଁ ଆସିଲି ଅଧିକ ଟଙ୍କା ରୋଜଗାର କରିବାକୁ..ଏଠିକି ଦାଦନ ଖଟିବାକୁ । କିନ୍ତୁ ଜାଣି ନଥିଲି ଏଠି ଗୋଟେ ନର୍କ ମୋତେ ଅପେକ୍ଷା କରିଛି । କିନ୍ତୁ ସେ ନର୍କ ଭିତରେ ପାରିଜାତ ଫୁଲ ପରି ତତେ ଦେଖିଲି । ଆଉ ସିଧା କହୁଛି ସତକହୁଛି, ଯେବେଠୁ ତତେ ଦେଖିଲି ଭଲ ପାଇ ବସିଲି ।”
କୁସୁମୀ ଚମକି ପଡ଼ିଲା । ତା ଦେହ ହାତ ଥରିବାକୁ ଲାଗିଲା । ଅନ୍ଧାରରେ ମଦନ ସିନା ଦେଖି ପାରିଲାନି, କିନ୍ତୁ କୁସୁମୀର ସ୍ୱର କହି ଦଉଥିଲା ତା ଦେହର କମ୍ପନ ।
କୁସୁମୀ ଥରି ଥରି ସିଧା ସଳଖ ପଚାରିଲା, “ମୋତେ ବାହା ହବୁ?”
ମଦନ ତା ହାତକୁ ଧରି କହିଲା, “ହଁ ବାହା ହେବି । ତତେ ବୋହୁ କରି ଆମ ଗାଁକୁ ନେଇଯିବି ।”
କୁସୁମୀ ସେମିତି ଉତେଜିତ କମ୍ପିତ ସ୍ୱରରେ କହିଲା, “ଜାଣିଛୁ ମୋ ସିନ୍ଦୂରର ମୁଲ୍ୟ କେତେ? ଦେଇ ପାରିବୁ ସେ ମୁଲ୍ୟ?”
ମଦନ କିଛି ବୁଝିପାରିଲାନି ।
କୁସୁମୀ କହିଚାଲଥାଏ, “ତୁ ସିନା ଦରମା ପାଇ ଖଟୁଛୁ । ମୋତେ କିନ୍ତୁ ମୋ ବାପା ଏ ଠିକାଦାରକୁ ସତୁରୀ ହଜାରରେ ବିକି ଦେଇଛି । ସାରା ଜୀବନ ଏଠି ଖଟିବି । ତେଣୁ ମୋ ଜୀବନ ଏଠି ବନ୍ଧା ପଡ଼ିଛି । ମୋ ଜୀବନରେ ସିନ୍ଦୂର କେବଳ ଗୋଟେ ସ୍ୱପ୍ନ । ଯଦି ମୋତେ ଭଲ ପାଉଛୁ..ଯଦି ମୋତେ ବାହା ହେବାକୁ ଚାହୁଁଛୁ, ଦେଇ ପାରିବୁ ସତୁରୀ ହଜାର..କିଣି ପାରିବୁ ସେ ସିନ୍ଦୂରକୁ…ମୁକୁଳେଇ ପାରିବୁ ବନ୍ଧା ପଡ଼ି ଥିବା ଏ ଜୀବନକୁ । କଥା ଦଉଛି ସାରା ଜୀବନ ତତେ ଭଲ ପାଇବି..ତୋର ହୋଇ ରହିବି..ତୋ ଘରେ ଖଟିବି..ତୋର ସେବା କରିବି..ତୋ ବାପା ମାଙ୍କ ସେବା କରିବି ।”
ଏତିକି କହି ଗୋଟେ ଦୀର୍ଘ ନିଃଶ୍ୱାସ ଛାଡ଼ି କୁସୁମୀ ସେଠୁ ଚାଲିଗଲା ।
ମଦନ ପାଖରେ ବ କିଛି ଉତର ନଥିଲା । ମାସକୁ ତିନିହଜାର କମଉ ଥିବା, ତା ପରି ଦିନ ମଜୁରିଆ ପାଇଁ ସତୁରୀ ହଜାର ସାତ ସ୍ୱପ୍ନ । ଗାଁରେ ଦୁଇ ତିନି ମାଣ ଜମି ବିକିଦେଲେ ହୋଇଯାଆନ୍ତା । କିନ୍ତୁ ସେଇତକ ଜମିତ ସେମାନଙ୍କ ଭାତହାଣ୍ଡି । ପୁଣି ତା ବାହାଘରରେ କିଛି ପଇସା ଯୈ÷ାତୁକ ଆଶା କରିଥିବା ତା ବାପା ମାଙ୍କୁ କଣ କହିବ, ସେ ଗୋଟେ ଝିଅକୁ ଭଲପାଉଛି । ତାକୁ ବୋହୂ କରିବାକୁ ଚାହେଁ । ଆଉ ସେହି ବୋହୂ କିଣିବାକୁ ଟଙ୍କା ଦରକାର? କେଉଁ ମୁହଁରେ ବାପାକୁ କହିବ ଜମି ବିକିବାକୁ?
ମଦନ ମୁଣ୍ଡରେ କିଛି ପଶୁ ନଥିଲା । ଆଉ ସେ କୁସୁମୀକୁ ଭୁଲି ବି ପାରୁ ନଥିଲା । କାମରେ ତାର ମନ ଲାଗୁନଥିଲା । ସୁପରଭାଇଜରଠୁ ସବୁବେଳେ ଗାଳି ଶୁଣୁଥିଲା । ରାତିରେ ନିଦ ହଉନଥିଲା । ଦିନ ରାତି ଖାଲି ତା ମନ କୁସୁମୀକୁ ଖୋଜୁଥିଲା । କୁସୁମୀ କିନ୍ତୁ କେଉଁ ଦୂର ଅନ୍ତରୀକ୍ଷର ତାରାଟିଏ ପରି ତାଠୁ ବହୁଦୂରରେ ଥିଲା । ସେ ପଟେ କୁସୁମୀ ଜାଣି ଶୁଣି ମଦନଠୁ ଦୂରେଇ ରହୁଥିଲା । କାରଣ ସେ ବୁଝିଥିଲା, ଯେଉଁ ସମ୍ପର୍କର ଶେଷ ନାହିଁ, ସେ ସମ୍ପର୍କ ବଢେଇକି କିଛି ଲାଭ ନାହିଁ । କେବଳ କଷ୍ଟ ପାଇବା ହିଁ ସାର ହେବ ।
ପ୍ରାୟ ମାସକ ପରେ ହଠାତ୍ ମଦନ କୁସୁମୀର ଦେଖା ପାଇଲା । ସେମିତି ଏକ ମୁହଁ ଅନ୍ଧାର ସଂଜବେଳ ଥିଲା । ମଦନ କୁସୁମୀକୁ କିଛି ନକହି ସିଧା ତା ହାତ ଧରି ଟାଣି ନେଲା, ସେଇ ବନ୍ଧ ଆଡ଼କୁ । ସିଧା ତା ହାତକୁ ଧରି କହିଲା, “କୁସୁମୀ! ମୁଁ ତତେ ବହୁତ ଭଲପାଏ । ତୋ ବିନା ବଂଚି ପାରିବିନି । କଣ ପାଇଁ ମୋଠୁ ଲୁଚୁଛୁ । କଣ ପାଇଁ ମୋଠୁ ଦୂରେଇ ରହୁଛୁ ।”
କୁସୁମୀ କହିଲା, “କଣ କରିବି ତୁ କହ? ଯେଉଁ ସମ୍ପର୍କର ଅର୍ଥ ନାହିଁ । ଯେଉଁ ସମ୍ପର୍କର ଭବିଷ୍ୟତ ନାହିଁ । ଯେଉଁ ପ୍ରେମର ଶେଷ ସିନ୍ଦୂର ନୁହେଁ । ସେମିତିଆ ସମ୍ପର୍କକୁ ବଢେଇକି ଲାଭ କଣ । ତୁ କଷ୍ଟ ପାଇବୁ ମୁଁ କଷ୍ଟ ପାଇବି । ସେମିତି ଆମ ଜୀବନରେ ତ ଦୁଃଖ କଷ୍ଟର କିଛି ଅଭାବ ନାହିଁ । ଆଉ ଏ ସମ୍ପର୍କକୁ ବଢେଇ କି ସୁଖ ପାଇବା?”
ମଦନ ଛିଡ଼ା ହୋଇକି କୁସୁମୀର ହାତ ଧରିକି କହିଲା, “ଏ କୁସୁମୀ..ଚାଲେ ଆମେ ଏଠୁ ଲୁଚିକି ପଳେଇବା । ମୋ ପାଖରେ କିଛି ପଇସା ଅଛି । ବାଟ ଖର୍ଚ୍ଚ ହୋଇଯିବ । ଆଉ ଗାଁରେ ପହଂଚିଲା ପରେ ଆମର କିଛି ଅସୁବିଧା ହେବନି । ମୋ ବାପା ମାଆ ବହୁତ ଭଲ । ସେମାନେ ତତେ ବୋହୂ ଭାବରେ ଗ୍ରହଣ କରିବେ । ଆମଘରେ ତୋ ପାଇଁ ଶାଗ ପେଜର ଅଭାବ ହେବନି ଲୋ । ତତେ ରାଣୀ ପରି ରଖିବି । ହଉ ପଛେ ମୋ କୁଡ଼ିଆ ଘରର ।”
କୁସୁମୀ ଆଖି ଛଳ ଛଳ ହୋଇଗଲା ।
ବାଷ୍ପରୋଧ କଣ୍ଠରେ ସେ କହିଲା, “ଆରେ ବୁଝୁଛିରେ ତୋ କଥା । କିନ୍ତୁ ତାହା କଣ ସମ୍ଭବ । ବଡ଼ ଠିକାଦାରକୁ ତୁ ଜାଣିନୁ । ତାର ବହୁତ ଲୋକ..ବହୁତ ଗୁଣ୍ଡା । ପୁରା ଭାଟି ଚାରି ଆଡେ ଜଗିଛନ୍ତି । ପୁଣି ଓଡ଼ିଶାରେ ବି ତାର ବହୁତ ଦଲାଲ । ଆମେ ଯେଉଁଠିକି ଗଲେ ବି ଧରା ପଡ଼ି ଯିବା । ତେଣୁ ମୋର ଏଠୁ ମୁକୁଳିବା ସାତ ସପନ । ଏତେ ସପନକୁ ରାତି କାହିଁ । ତୁ ଗାଁକୁ ଫେରିଯା । ନିଜ ମାଟିରେ ଖଟିବୁ, ବାପା ମାଆଙ୍କୁ ସବୁ ଦିନ ଦେଖିବୁ । ଗାଁ ପାଖରେ ଗୋଟେ ଭଲ ଝିଅଟେ ଦେଖି ବାହା ହେବୁ । ମୁଁ ଏଇଠି ଥାଇ ସବୁବେଳେ ତୋ ଶୁଭ ମନାସିବି ।”
ମଦନ କହିଲା, “ନା ନା…ମୁଁ ତୋ ବିନା ବଂଚି ପାରିବିନି । ମୁଁ କିଛି ଜାଣିନି । ଗାଁରେ ପହଂଚିଲା ପରେ କଣ ହେବ, କେଉଁ ଦଲାଲ ଆମର କଣ କରିବ, ସେଠି ବୁଝିବା । ଏଠୁ କିପରି ବାହାରିବା ମୁଁ ଦେଖୁଛି । ଆମେ ବିଶାଖାପାଟନା ଷ୍ଟେସନ ଯାଏ ପହଂଚି ଗଲେ, ଆମକୁ କେହି ଅଟକେଇ ପାରିବେନି । ଏଠୁ କୋଡିଏ କିଲୋମିଟର ପରେ ଗୋଟେ ବସ୍ ଷ୍ଟାଣ୍ଡ ଅଛି, ସେଠୁ ବିଶାଖାପାଟନା ଯାଏ ବସ୍ ମିଳିଯିବ । ମୁଁ ସବୁ ବୁଝି ସାରିଛି । ଶୁଣ ଲୋ କୁସୁମୀ କିଛି ଅସୁବିଧା ହେବନି । ତୁ ଖାଲି ହଁ କରେ, ବାକି ମୋ ଉପରେ ଛାଡ଼ି ଦେ । ଆମେ ରାତି ଅଧରେ ଲୁଚିକି ପଳେଇବା । କେହି ଜାଣିବେନି ।”
କୁସୁମୀ ଟିକେ ଭାବିଲା ଓ କହିଲା, “ହଉ, କିଛି ଦିନ ପରେ ମକର ସଂକ୍ରାନ୍ତି ଆସିବ । ଏଠି ପୋଙ୍ଗଲ ରୂପରେ ବଡ଼ ଯାତରା ହୁଏ । ସେ ସମୟରେ ସମସ୍ତେ ଉତ୍ସବରେ ବ୍ୟସ୍ତ ଥିବେ । ସେହି ରାତିରେ ଆମେ ପଳାଇବା । ତୋ ଭଲପାଇବା ଉପରେ ମୋର ବିଶ୍ୱାସ ଅଛି । ତା ପରେ ଆମ ଭାଗ୍ୟରେ ଯାହାଥିବ ।”
ମଦନ କୁସୁମୀକୁ ନିଜ ଛାତିକୁ ଆଉଜେଇ ଦେଲା । କୁସୁମୀ ବି ଏ ଦୁନିଆର ସବୁଠାରୁ ନିରାପଦ ଛାତିରେ ନିଜକୁ ସମର୍ପି ଦେଇ ଧନ୍ୟ ମନେ କରୁଥିଲା ।
ଶେଷରେ ଆସିଲା ମକର ସଂକ୍ରାନ୍ତି । ମଦନ ତା ପୋଷାକ, ଗନ୍ଥା କମ୍ବଳ କିଛି ନେଲାନି । କାଳେ କାହାର ସନ୍ଦେହ ହେବ । ପାଖରେ ଟଙ୍କା ଚାରିହଜାର ଥିଲା, ସେତକ ପକେଟ୍ରେ ପୁରେଇ ରାତି ୯ଟାରେ ନିଜ ମେସ୍ରୁ ବାହାରିଗଲା । କଥା ସ୍ଥିର ହୋଇଥିଲା, କୁସୁମୀ ସେହି ବନ୍ଧ ପାଖରେ ଥିବ । ସେଇଠୁ ଦୁହେଁ ସହର ଦିଗକୁ ଚାଲିକି ଯିବେ । ଭୋରୁ ଭୋରୁ ବସ୍ଷ୍ଟାଣ୍ଡରେ ପହଂଚି ଯିବେ, ସେଠୁ ବିଶାଖାପାଟନାକୁ ବସ୍ ମିଳିଯିବ । ଥରେ ଷ୍ଟେସନରେ ପହଂଚି ଯାଇ ଟ୍ରେନ୍ରେ ଚଢିଗଲେ ସବୁ ଭୟ ଯିବ ।
ରାତି ଦଶଟା ବେଳକୁ ମଦନ ବନ୍ଧ ପାଖରେ ପହଂଚି ଯାଇଥିଲା । ସେ ପହଂଚିବାର କିଛି ସମୟ ପରେ କୁସୁମୀ ବି ପହଂଚିଗଲା । ଦୁହେଁ ଚାରିଆଡ଼କୁ ଧ୍ୟାନ ରଖି ସେ ଅନ୍ଧାର ରାତିରେ ଚାଲିବାକୁ ଲାଗିଲେ ହାତ ଧରା ଧରି ହୋଇ । କେହି କିଛି କହୁ ନଥିଲେ । ଦୁହିଁଙ୍କ ମନରେ କେବଳ ଗୋଟେ ଚିନ୍ତା ଥିଲା, କିପରି ଷ୍ଟେସନରେ ନିରାପଦରେ ପହଂଚି ଯିବେ । ରାତି ବଢିବାରେ ଲାଗିଥିଲା । ଅନ୍ଧାର ରାତିରେ ଅଚିହ୍ନା ରାସ୍ତା । ମାଟି କଚା ସଡ଼କ । ବହୁତ କଷ୍ଟ ହଉଥିଲା ଚାଲିବାକୁ ଦୁହିଁଙ୍କୁ । କୋଡ଼ିଏ କିଲୋମିଟର ରାସ୍ତା ଚାଲିବା ସହଜ କଥା ନୁହେଁ । ତଥାପି ଦୁହେଁ ଚାଲିବାକୁ ଲାଗିଥିଲେ ଏକ ସୁନେଲୀ ସ୍ୱପ୍ନର ଭରସାରେ । ଏକାଠି ବାକି ଜୀବନ ବିତାଇବାର ଆଶାରେ । ଟୋପାଏ ସିନ୍ଦୂରର ମୋହରେ ।
ମଦନ ଓ କୁସୁମୀ ପାଖ ସହରର ବସ୍ଷ୍ଟାଣ୍ଡରେ ପହଂଚିଲା ବେଳକୁ ରାତି ତିନିଟା ହୋଇ ଯାଇଥିଲା । ବସ୍ଷ୍ଟାଣ୍ଡରେ ବୁଝିଲେ ବିଶାଖା ପାଟନାକୁ ପ୍ରଥମ ବସ୍ ଭୋର ଚାରିଟା ତିରିଶରେ । ମଦନକୁ ଓଡ଼ିଆ ବ୍ୟତୀତ ଆଉ କିଛି ଭାଷା ଆସୁନଥିଲା । କୁସୁମୀ ଟିକେ ଟିକେ ହିନ୍ଦି କହି ପାରୁଥିଲା । ସେହି ହିନ୍ଦିରେ ଯାହା ସେଠାକାର ଲୋକଙ୍କଠୁ ବୁଝିଲା ବସ୍ କେତେବେଳେ ଆସିବ । ଦୁହେଁ ଏତେବାଟ ଚାଲିକି କ୍ଲାନ୍ତ ହୋଇଯାଇଥିଲେ । ଗୋଟେ ଚା ଦୋକାନ ଖୋଲିଥିଲା । ମଦନ ଦୁଇ କପ୍ ଚା ଓ ପାଣି ମଗେ ଆଣିଲା । ଦୁହେଁ ପାଣି ପିଇକି ଚା ପିଇବାକୁ ଲାଗିଲେ । ମଦନ ମୁହଁରେ ଝାଳ ବାହାରୁ ଥିଲା । କୁସୁମୀ ତା ଶାଢିର ପଣତରେ ମଦନ ମୁହଁକୁ ପୋଛିଦେଲା । ସେତେବେଳେ ମଦନ ମୁହଁରେ ଏକ ଅପୂର୍ବ ପ୍ରଶାନ୍ତି ଥିଲା ।
ନିର୍ଦ୍ଧାରିତ ସମୟରେ ବସ୍ ଛାଡ଼ିଲା । ସକାଳ ବସ୍ ବୋଲି ପ୍ରାୟ ସିଟ୍ ଖାଲି ଥିଲା । ଦୁହେଁ ଗୋଟେ ଡବଲସିଟ୍ରେ ବସି ପଡ଼ିଲେ । ମଦନ ଓ କୁସୁମୀ ପ୍ରଭୁ ଜଗନ୍ନାଥ ଓ ନିଜ ଗାଁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ । ବସ୍ ଗଡ଼ି ଚାଲିଥିଲା । ରାତି ଅନିଦ୍ରା, ବାଟଚଲାର କ୍ଲାନ୍ତି ଓ ଝରକା ଦେଇ ବୋହି ଆସୁଥିବା ସୁଲୁସୁଲୁ ପବନରେ କୁସୁମୀ ଆଖିରେ ନିଦ ଆସି ଯାଇଥିଲା । ସେ ମଦନ ଛାତିରେ ଢଳି ପଡ଼ି ଶୋଇପଡ଼ିଲା । ମଦନ ବି ନିଜ ନିଦକୁ ଅଟକେଇ ପାରିଲାନି । ଦୁହେଁ ଦୁହିଁଙ୍କୁ ଆଶ୍ରୟ ଦେଇ ଶୋଇ ପଡ଼ିଲେ । ବସ୍ ଫୁଲ୍ ସ୍ପିଡ୍ରେ ବିଶାଖା ପାଟନା ଉଦ୍ଦେଶ୍ୟରେ ଆଗେଇ ଚାଲିଥିଲା ।
ହଠାତ୍ ଏକ କର୍କଶ ଆବାଜ କରି ବସ୍ ବ୍ରେକ୍ କଲା । ଆଉ ସେ ବସ୍ର ଆକସ୍ମିକ ବ୍ରେକ୍ରେ ମଦନ ଓ କୁସୁମୀଙ୍କ ନିଦ ଭାଙ୍ଗିବା ସହ ସେମାନଙ୍କ ମୁଣ୍ଡ ଭାରସମ୍ୟ ହରାଇ ଆଗ ସିଟ୍ରେ ମାଡ଼ ହେଲା । ସେମାନେ ଦେଖିଲେ ବସ୍ ଆଗରେ ଗୋଟେ ଖୋଲା ଜିପ୍ ଛିଡ଼ା ହୋଇଛି ଓ ବସ୍ ଭିତରେ ପଶୁଥିଲେ ଚାରି ପାଂଚଜଣ ଗୁଣ୍ଡା ଶ୍ରେଣୀର ଲୋକ । କୁସୁମୀ ପାଟିରୁ ବାହାରି ଗଲା, “ଠିକାଦାରର ଗୁଣ୍ଡା ।”
ସେ ଗୁଣ୍ଡା ମାନେ ବସ୍ ଭିତରୁ ଭିଡ଼ିନେଲେ ମଦନ ଓ କୁସୁମୀକୁ । ମଦନ ପ୍ରତିରୋଧ କରିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ପାରିଲାନି । ମଦନ ଗୋଟେ ସବଳ ଯୁବକ ହେଲେବି, ସେମାନେ ଚାରି ପାଂଚ ଜଣ ଥିଲେ । ସେମାନଙ୍କ ମାଡ଼ରେ ମଦନର ମୁହଁ ଫାଟି ରକ୍ତ ବାହାରୁଥିଲା । କୁସୁମୀ ବି କାନ୍ଦି କି ଚିତ୍କାର କରିବା ଛଡ଼ା କିଛି କରି ପାରିଲାନି । ସେ ବସ୍ରେ ଥିବା ଯାତ୍ରୀ ମାନେ ନିରବଦ୍ରଷ୍ଟା ଥିଲା, ଯାହା ସ୍ୱାଭାବିକ ଥିଲା । କିଛି ଘଂଟା ପରେ ସେ ଦୁହେଁ ଠିକାଦାରର ବିଶାଳ ପ୍ରାସାଦରେ ଥିଲେ ।
ମଦନ ଓ କୁସୁମୀ ଠିକାଦାରଙ୍କ ପାଦ ତଳେ ପଡ଼ି ବହୁତ ନେହୁରା ହେଲେ । ସେମାନଙ୍କୁ ଛାଡ଼ି ଦେବାକୁ ବିକଳ ପ୍ରାର୍ଥନା କଲେ । ମଦନ ଏହା ବି କହିଲା, ଗାଁରେ ପହଂଚି କୁସୁମୀର ତଣ୍ଡ ସତୁରୀ ହଜାର ଠିକାଦାରଙ୍କୁ ପଠେଇ ଦେବ । ସେ କୁସୁମୀକୁ ଭଲ ପାଏ, ତାକୁ ବାହା ହେବାକୁ ଚାହେଁ । କାନ୍ଦି କାନ୍ଦି କହିଲା, ସେ କୁସୁମୀ ବିନା ବଂଚି ପାରିବନି । କୁସୁମୀ ମଦନର ଏ ଭଲପାଇବା ଦେଖି ଖୁସି ହେବ କି ଦୁଃଖି ଜାଣି ପାରୁନଥିଲା । ତା ଆଖିରୁ ଖାଲି ଧାର ଧାର ହୋଇ ଲୁହ ବାହାରି ଚାଲିଥିଲା ।
ବଡ଼ ଠିକାଦାର ସବୁ ଶୁଣିଲା ପରେ ମଦନକୁ ସେଠି ରହିବାକୁ କହି, କୁସୁମୀକୁ ଗାଡ଼ିରେ ଇଟାଭାଟିକୁ ପଠେଇ ଦେଲେ । ମଦନ ରାଜି ହେଲାନି । ତାକୁ ଚାରିଜଣ ଧରିଥିଲେ । ସେ ଖାଲି ବାଡେଇ ଛାଚି ହୋଇ ଚିତ୍କାର କରିବାକୁ ଲାଗିଥିଲା । କୁସୁମୀ ବି ମଦନକୁ ଛାଡ଼ି କି ଯିବାକୁ ଚାହୁଁ ନଥିଲା । କୁସୁମୀକୁ ଜବରଦସ୍ତ ଗାଡ଼ିରେ ନେଇ ଇଟା ଭାଟିରେ ଛାଡ଼ି ଦେଇଥିଲେ । ଆଉ ମଦନ ରହି ଯାଇଥିଲା ଠିକାଦାର ପାଖରେ ।
ତା ପର ଦିନ ଇଟାଭାଟିରେ ମଦନ ଭେଟିଲା କୁସୁମୀକୁ । ଯାହା କହିଲା କୁସୁମୀର ବିଶ୍ୱାସ ହଉନଥିଲା ।
ମଦନ କହିଲା, “ଠିକାଦାର ରାଜି ହୋଇଯାଇଛି । ତତେ ଛାଡ଼ିଦେବ ସବୁଦିନ ପାଇଁ ମୋ ସହିତ । ବାସ୍ ଆଉ ମାସେ । ମୁଁ ଗୋଟେ କାମରେ ଯାଉଛି ତାର ଆଉ ଗୋଟେ ଭାଟିକୁ । ମାସକ ପରେ ଆସିବି ଓ ତତେ ନେଇ ଯିବି ସବୁ ଦିନ ପାଇଁ ମୋ ସ୍ତ୍ରୀ କରି ମୋ ଗାଁକୁ ।”
କୁସୁମୀ ପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆଟେ ମାରିଲା । ମଦନ ମାସେ ପରେ ଆସିବ କହି ବିଦାୟ ନେଲା କୁସୁମୀଠୁ ।
ମାସକ ପରେ ମଦନ ଆସିଲା କୁସୁମୀ ପାଖକୁ । ଟିକେ ଦୁର୍ବଳ ଜଣା ପଡ଼ୁଥିଲା । କୁସୁମୀ ପଚାରିଲାରୁ କହିଲା କାମର ପ୍ରେସର ବହୁତ ଥିଲା । ସତରେ ଠିକାଦାର କୁସୁମୀକୁ ନିଜ ଭାଟିରୁ ମୁକ୍ତ କରି ଦେଇଥିଲା । ସେ ଦୁହିଁଙ୍କୁ ନିଜ ଗାଡ଼ିରେ ବିଶାଖା ପାଟନା ଷ୍ଟେସନକୁ ପଠେଇଥିଲା ଓ ବାଟ ଖର୍ଚ୍ଚ ପାଇଁ ଟଙ୍କା ଦଶହଜାର ବି ଦେଲା ।
ଗାଁରେ ପହଂଚିଲା ପରେ ମଦନର ବାପା ମା ବହୁତ ଖୁସି ହୋଇଯାଇଥିଲେ ପୁଅ ଫେରି ଆସିଛି ବୋଲି । ସେମାନେ କୁସୁମୀକୁ ବି ନିଜ ବୋହୂ ରୂପେ ଖୁସିରେ ଗ୍ରହଣ କଲେ । ଗାଁ ବ୍ରାହ୍ମଣୀଦେଇ ମନ୍ଦିରରେ ମଦନ ଓ କୁସୁମୀର ବାହାଘର ହେଲା ।
ଚଉଠି ରାତିରେ ମଦନ ପେଟପାଖରେ ଗୋଟେ ସିଲେଇ ଦାଗ ଦେଖି କୁସୁମୀ ପଚାରିଲା, ତୁମ ପେଟରେ ଏଇଟା କି ଦାଗ ।
ମଦନ କହିଲା, ପିଲା ଦିନେ ଗୋଟେ ଅପରେସନ ହୋଇଥିଲା ସେହି ଦାଗ ।
ହଁ ମିଛ କହିଲା ମଦନ । ସେଦିନ ଠିକାଦାର ଘରୁ କୁସୁମୀ ଇଟାଭାଟିକୁ ଗଲା ପରେ, ଠିକାଦାର କୁସୁମୀର ମୁକ୍ତି ପାଇଁ ଏକ ସର୍ତ ରଖିଥିଲା । ମଦ ପିଇ ପିଇ ତା ପୁଅର ଦୁଇଟି ଯାକ କିଡନି ନଷ୍ଟ ହୋଇଯାଇଛି । ଯଦି ମଦନ ତାର ଗୋଟେ କିଡନି ଦେଇ ଦେବ, ତେବେ ସେ କୁସୁମୀକୁ ସବୁ ଦିନ ପାଇଁ ମୁକ୍ତ କରିଦେବ ।
ଆଉ ମଦନ ତା ସର୍ତରେ ରାଜି ହୋଇଯାଇଥିଲା ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *