- Breaking, Educations, Local, Politics

ମୁଁ ବ୍ଲକଗ୍ରାଣ୍ଟ ସ୍କୁଲର ଛାତ୍ର କହୁଛି…

Spread the love

ମୁଁ ବ୍ଲକଗ୍ରାଣ୍ଟ ସ୍କୁଲର ଛାତ୍ର କହୁଛି…

୨୦୦୬ ମସିହା। ମୋର ମ୍ୟାଟ୍ରିକ୍ ବର୍ଷ। ଡମଣୀକୃପା ସୁରେନ୍ଦ୍ରନାଥ ବିଦ୍ୟାପୀଠ,ବଡବେରଣା ମୋ ସ୍କୁଲ୍ ର ନାମ। ସରକାର ସୃଷ୍ଟି କରିଥିବା ଜାତି ଅନୁଯାୟୀ ମୋ ଶିକ୍ଷକମାନେ ବ୍ଲକଗ୍ରାଣ୍ଟ ଜାତିର ଶିକ୍ଷକ,ତଦନୁଯାୟୀ ମୁଁ ବ୍ଲକଗ୍ରାଣ୍ଟ ସ୍କୁଲର ଛାତ୍ର। ସେହିବର୍ଷ କି ତା ପୂର୍ବବର୍ଷ ଯଦିଓ ଠିକ୍ ସେ ମନେ ପଡୁନି,ଆମ ଶିକ୍ଷକ ମାନଙ୍କୁ କିଛି କିଛି ଅନୁଦାନ ମିଳିଲା। ଅନୁଦାନ କି ଅନୁକମ୍ପା ତାହା ଶିକ୍ଷକ ଏବଂ ସରକାର ଜାଣିଥିବେ। କାରଣ ଆମ ସ୍କୁଲ୍ ୧୯୯୨ରେ ପ୍ରତିଷ୍ଠା ହୋଇଥିବା ବେଳେ ଶିକ୍ଷକମାନେ ୨୦୦୬ରେ କିଛି ସରକାରୀ ହାତଟେକା ଧନ ପାଇବାକୁ ଯୋଗ୍ୟ ହେଲେ। କହିବା ବାହୁଲ୍ୟ ସେତେବେଳେ ମଧ୍ୟ ଆନ୍ଦୋଳନ ଚାଲିଥାଏ,କିନ୍ତୁ ଆମ ସ୍କୁଲ ବନ୍ଦ ହେବାର ମୋର ମନେନାହିଁ। କାହିଁକି ନା ପ୍ରତିଦିନ ୨ଜଣ ଶିକ୍ଷକ ପାଳିକରି ଆନ୍ଦୋଳନରେ ଯୋଗଦେବା ପାଇଁ ରାଜଧାନୀକୁ ଆସନ୍ତି ଆଉ ବାକି ମାନେ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ପିଲାଙ୍କୁ ପଢେଇବାରେ ମଧ୍ୟ ବ୍ୟସ୍ତ ଥାନ୍ତି।ଯେଉଁମାନେ ଆଜି ଚିତ୍କାର କରୁଛନ୍ତି ମାଷ୍ଟ୍ରେଙ୍କ ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢା ବ୍ୟାହତ ହେଉଛି ସେମାନେ ବୋଧହୁଏ କେବେ ବ୍ଲକଗ୍ରାଣ୍ଟ ସ୍କୁଲରେ ପଢିନାହାନ୍ତି କିମ୍ବା ଅନ୍ତତଃ ପକ୍ଷେ ପରିସଂଖ୍ୟାନକୁ ଦୃଷ୍ଟି ଦେଲେ ଏହା ମଧ୍ୟ ସ୍ପଷ୍ଟ ଯେ ମୋଟ ୬୦ହଜାର ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ଥିବାବେଳେ ରାଜଧାନୀରେ ଅଧିକ ରୁ ଅଧିକ ୧୦ହଜାର ଶିକ୍ଷକଙ୍କୁ ଆନ୍ଦୋଳନରେ ଦେଖିବାକୁ ମିଳେ। କେବେ କେବେ ଦିନେ ଦୁଇଦିନ ପାଇଁ ଆପଣମାନେ କହିପାରନ୍ତି ଶିକ୍ଷକଙ୍କ ସଂଖ୍ୟା ବଢେ। କିନ୍ତୁ ପ୍ରାୟତଃ ଆନ୍ଦୋଳନରେ ୩୦ ପ୍ରତିଶତ ଶିକ୍ଷକ ହିଁ ଥାନ୍ତି ଏବଂ ବାକିମାନେ ସ୍କୁଲରେ ପାଠ ପଢାନ୍ତି। ଆପଣ ମାନନ୍ତୁ ବା ନମାନନ୍ତୁ ଏହାହିଁ ସତ୍ୟ।

ଦ୍ବୀତିୟ କଥା ହେଲା ମତେ ପଢେଇଥିବା ଶିକ୍ଷକ ଯଥାକ୍ରମେ ମାମି ଦିଦି,ରାମ ସାର୍,ଭାରତୀ ଦିଦି,କୁନି ଦିଦି,ନିଶଙ୍କ ସାର୍,ରୀନା ଦିଦି,ପିଇଟି ସାର୍ ଏବଂ ବେଣୁ ସାର(ମୋ କକେଇ)। ଏମାନଙ୍କ କାର୍ଯ୍ୟଦକ୍ଷତା ଏବଂ ପିଲାମାନଙ୍କୁ ଶିକ୍ଷିତ କରିବାର ମନୋଭାବ ଯେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକମାନଙ୍କଠାରୁ ଉଣା,ଏହା ଶତପ୍ରତିଶତ ମିଥ୍ୟା ଅଟେ। ଆମ ସ୍କୁଲରୁ ମଧ୍ୟ ଅନେକ ସ୍କଲାର ପିଲା ବାହାରିଛନ୍ତି ଯେଉଁମାନେ କି ଏବେ ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ। ଅବଶ୍ୟ ମୋ ଭଳିଆ କିଛି ଆମେ ବ୍ୟାକ୍ ବେଞ୍ଚର୍ସ ବି ଥିଲୁ। ଏମିତି କି ନିଶଙ୍କ ସାର ତ ବେଳେ ବେଳେ ଗୁଗୁଚିଆ ଲଗା ପ୍ୟାଣ୍ଟ୍ ପିନ୍ଧି କ୍ଲାସ୍ ରୁମ୍ କୁ ପଢାଇବାକୁ ଆସନ୍ତି ଆଉ ଏମିତି ବି ସମୟ ଆସିଛି ସାର୍ ତାଙ୍କ ପାଳିରେ ପଡୁଥିବା ୩/୪ଟି କ୍ଲାସ୍ କରି ଗଲାପରେ ବି ପ୍ରଧାନଶିକ୍ଷୟୀତ୍ରୀ ଜାଣିପାରନ୍ତି ନାହିଁ ସାର୍ ଆସିଥିଲେ କି ନାହିଁ। ବୁଝୁବୁଝୁ ଜଣାପଡେ ଯେ ସାର୍ ସକାଳୁ ଘରୁ ବାହାରନ୍ତି ସ୍କୁଲ୍ କୁ। ବାଟରେ ପଡୁଥିବା ବିଲ କାମ କରି ଚାଲି ଚାଲି ଆସିଲା ବେଳକୁ ପ୍ୟାଣ୍ଟରେ ଗୁଗୁଚିଆ ଲାଗିଥାଏ ଆଉ ନିଜ କ୍ଲାସ ସାରି ସଅଳ ବାହାରିଯାନ୍ତି ବିଲ କାମ କରିବାକୁ। ପେଟ ପୁରିଲେତ ପାଠ ପଢେଇବେ ନା…!!ଏମିତି ସାର୍ ଦୁଇ ଦଶନ୍ଧିରୁ ଅଧିକ ସମୟ ଶିକ୍ଷାଦାନ କରିଛନ୍ତି। ଏଇ କିଛିଦିନ ତଳେ ଅବସର ଗ୍ରହଣ କରିଥିବା ସାରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାକୁ ଯାଇନପାରି ମନକଷ୍ଟ ହୋଇଥିଲା। ଅବଶ୍ୟ ପ୍ରାଇଭେଟ୍ ଜବ୍ କଲେ ମନକଷ୍ଟ ଶବ୍ଦଟାକୁ ଅଭିଧାନରୁ ଡିଲିଟ୍ ମାରିଦେବା ଆବଶ୍ୟକ। ପରେ ସାରଙ୍କ ସହିତ ଦେଖା ହେଲା ଗ୍ରାମ ନିକଟସ୍ଥ କଣ୍ଟାବାଡ ହାଟରେ। ଆସିନପାରିବାରୁ କ୍ଷମା ମାଗିବା ସହିତ ପଚାରିଥିଲି ଯେ ସାର୍ କେବେ ଅବଶୋସ ଲାଗିନି ବ୍ଲକଗ୍ରାଣ୍ଟ ସ୍କୁଲର ଶିକ୍ଷକ ହୋଇ.?? ଉତ୍ତର ଥିଲା ବୟସ ଥିଲାବେଳେ ୨/୪ଥର ଲାଗିଛି।
ହେଲା.. ସରକାର ନବୁଝିଲେ ନାହିଁ ତୁମେମାନେ ତ ବୁଝୁଛ ନା ସରକାର ଆଉ କିଏ କି..?? କହିବାକଥା ହେଲା ଜଣେ ଶିକ୍ଷକ ସମାନ ଶିକ୍ଷାଦାନ କରି ଅଧିକା ଦରମା ପାଉଥିବା ବେଳେ ,ସେହି ସମାନ ଶିକ୍ଷାଦାନ କରୁଥିବା ଅନ୍ୟଏକ ଶିକ୍ଷକ କଣପାଇଁ ସମାନ ଦରମା ପାଇବ ନାହିଁ..??

ଆହୁରୀ ଅନେକ ଲୋକଙ୍କ ଯୁକ୍ତି ଯେ ଶିକ୍ଷକମାନେ କଣ ନିୟମପଢି ଚାକିରୀରେ ଯୋଗଦେଇ ନଥିଲେ କି..? ୧୯୯୦ ମସିହା ରୁ ୨୦୦୦ ଭିତରେ ପ୍ରାୟତଃ ବ୍ଲକଗ୍ରାଣ୍ଟ ଶିକ୍ଷାନୁଷ୍ଠାନ ଗଢିଉଠିଥିଲା। ସେତେବେଳେ ମଧ୍ୟ ଏବେ ଭଳି ବେକାରୀ ସଂଖ୍ୟା ଥିଲା। ଆଉ ଗ୍ରାମପାଖରେ ଯଦି ସ୍କୁଲଟିଏ ଖୋଲୁଛି ତାହେଲେ ଶିକ୍ଷିତ ଯୁବକଟିଏ ସେଥିରେ ନିଜ କ୍ୟାରୟରର ସ୍ବପ୍ନ ଦେଖିବା କଣ ଭୁଲ୍..??

ସରକାରୀ ଗାଡି ବୁଲି ବୁଲି ସାରା ରାଜ୍ୟରୁ ହୀରୋ(ମୋ ହୀରୋ ଯୋଯନା) ଖୋଜୁଛି..!! କିନ୍ତୁ ଦୁର୍ଭାଗ୍ୟ ଯେ ହୀରୋ ତିଆରି କରୁଥିବା ଲୋକଟି ଆଜି ରାଜଧାନୀ ରାଜରାସ୍ତାରେ ବର୍ଷାମାଡ ଖାଉଛି। ଆମେ ଯଦି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଥଇଥାନ ସହିତ ଉପଯୁକ୍ତ ସମ୍ମାନ ଦେଇପାରୁଛୁ ତାହେଲେ ଶିକ୍ଷକମାନଙ୍କୁ କାହିଁକି ନୁହେଁ..??ଯେଉଁ ବିଜୁ ଯୁବବାହିନୀ ଗଠନ କରାଯାଇଛି ସେଇ ଯୁବକମାନଙ୍କ ଭିତରୁ କଣ କେହି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଛାତ୍ରଛାତ୍ରୀ ନାହାନ୍ତି..?? ଯଦି ଅଛନ୍ତି ନିଜ ଶିକ୍ଷକଙ୍କ ପାଇଁ କଣ ଦାବି ରଖିଛନ୍ତି…??ସେହି ସ୍କୁଲମାନଙ୍କରୁ ବାହାରି ପରେ ପରେ ଛାତ୍ର କଂଗ୍ରେସ,ଏବିଭିପି,ଛାତ୍ର ବିଜେଡିର ଲିଡର ବନିଥିବା ପିଲାମାନେ ଶିକ୍ଷକଙ୍କ ପାଇଁ ଥରୁଟିଏ ଚିନ୍ତା କରିଛନ୍ତି କି..?? ଛତା ଜୋତା ସାର୍ଟ ପାଇଁ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ..କିନ୍ତୁ ଶିକ୍ଷକଙ୍କ ପାଇଁ ପଇସା ନାହିଁ..!! ତାହେଲେ ଏଥିରୁ ସ୍ପଷ୍ଟ ଯେ ଆଜି ପର୍ଯ୍ୟନ୍ତ ସରକାର ଶିକ୍ଷାକୁ ପ୍ରାଥମିକତା ଦେଇନାହାନ୍ତି।

ତେଣୁ ଆଗକୁ ଆସନ୍ତୁ ଏବଂ ଶିକ୍ଷକମାନଙ୍କର ହକ୍ ର ଲଢେଇରେ ସାମିଲ ହୁଅନ୍ତୁ। ସଂଖ୍ୟା ଯେତେବେଳେ ୬୦ହଜାରରୁ ଯାଇ ୩୦ଲକ୍ଷରେ ପହଞ୍ଚିବ ସେତେବେଳେ ସରକାର ମୁଣ୍ଡନୁଆଁଇବାକୁ ବାଧ୍ୟହେବେ। ଆଉ ଆମ ଶିକ୍ଷକମାନେ ସେମାନଙ୍କ ହକ୍ ପାଇବେ। ଏହାହିଁ ହେବ ଗୁରୁଦିବସରେ ପ୍ରକୃତ ଗୁରୁଦକ୍ଷିଣା।.

ଆପଣ ଯଦି ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ତେବେ ସେୟାର କରି ଏହି ଆନ୍ଦୋଳନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସାମିଲ ହୁଅନ୍ତୁ..

“ମୁଁ ମୋ ଶିକ୍ଷକଙ୍କ ସହିତ”..
ଆଉ ଆପଣ….???

ବିଦ୍ର..ଏହାମୋର ନିଜସ୍ବ ମତାମତ ଅଟେ। ମୁଁ କାର୍ଯ୍ୟ କରୁଥିବା ସଂସ୍ଥା ସହିତ ମୋ ମତାମତର କୌଣସି ସମ୍ପର୍କ ନାହିଁ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *