- Recent, Stories

କଣ ଦରକାର ଆଉ ଗୋଟେ କୋର୍ଣାକ !!

Spread the love

କଣ ଦରକାର ଆଉ ଗୋଟେ କୋର୍ଣାକ !

ବହୁତ ଦିନର ଇଛା ଥିଲା ଥରେ ରାତିରେ କୋର୍ଣାକ ମନ୍ଦିର ଦେଖିବାକୁ। ରାତିରେ କେମିତି ଲାଗେ ସେ ମନ୍ଦିରଟା! ଦିନର କୋଳାହଳ ତ ନ ଥିବ! କେମିତି ଲାଗୁଥୁବ ସେ ଜାଗାଟା!ଏଇ କେଇ ଦିନ ତଳେ ଦିନେ ଉପର ଓଳି କୋଣାର୍କ ବୁଲି ବାହାରିଲି।ଠିକ ସଞବେଳକୁ ସେଠି ପହଞ୍ଚଗଲି।ମନ୍ଦିରସାରା ବୁଲିଲି।ରାତିରେ ସାମନା ବଜାର ବୁଲି ଦେଖୁଥାଏ।ଏମିତି ବୁଲୁ ବୁଲୁ କେତେବେଳେ ରାତି ଏଗାର ବାଜିଗଲା ଜାଣି ପାରିଲିନି।କଣ ମନ ହେଲା କେଜାଣି ଚନ୍ଦ୍ରଭାଗା ଆଡକୁ ଯିବାକୁ ବାହାରିଲି। ଭାବିଲି ଟିକେ ସମୁଦ୍ର କୂଳଆଡେ ବୁଲିଆସିବି।କିଛି ବାଟ ଯାଇଛି କି ନାହିଁ ଠିକ ଲାଇଟ ହାଉସ ଛକରେ ପିଲାଟିଏ କାନ୍ଦୁଥୁବାର ଶୁଭିଲା।ଗାଡି ଅଟକାଇ ଦେଖିଲି।କେହି କୁଆଡେ ନାହାଁନ୍ତି। ଷ୍ଟାର୍ଟ ମାରି ଟିକେ ଯାଇଛି ପୁଣି ସେହି କାନ୍ଦ।ଡର ବି ଲାଗିଲା।ତଥାପି ମନରେ ସାହାସ ବାନ୍ଧି ଗାଡିରୁ ଓହ୍ଲାଇଲି।ପାଟି କରି ପଚାରିଲି।

ମୁଁ- କିଏ! କିଏ କାନ୍ଦୁଛ! ଆରେ କିଏ କଉଁଠି କାନ୍ଦୁଛ! ସାମ୍ନାକୁ ଆସ। ପ୍ଲିଜ୍।

କାନ୍ଦ ବନ୍ଦ ହେଇଗଲା।ଆଉ ଶୁଭିଲାନି।ପୁଣି କିଛି ବାଟ ଯାଇଛି କି ନାହିଁ କାନ୍ଦ ଶୁଭିଲା। ୟେ ଥର ମୁଁ ପୁରା ଡରିଗଲି।ଗାଡି ଲାଇଟ ଆଉ ବନ୍ଦ କଲିନି।ଗାଡି ଷ୍ଟାର୍ଟରେ ଥାଏ। ଓହ୍ଲେଇ ପଡିଲି।ବଡ ପାଟିରେ ଚିଲେଇଲି।ଆରେ କିଏ କଉଁଠି କାନ୍ଦୁଛ! କଣ ହେଇଛି ତୁମର! ସାମ୍ନାକୁ ଆସ।କାହାରି ଦେଖା ନ ଥାଏ। ମଝିରେ ମଝିରେ କାନ୍ଦ ଟିକେ ବନ୍ଦ ହେଇ ପୁଣି ଶୁଭୁଥାଏ। ମୁଁ ପୁରା ଡରିଗଲି।ହେଲେ କରିଥାଆନ୍ତି ବା କଣ! ଗାଡି କେମିତି ଚଲେଇବି! ଗୋଡ ହାତ ଖାଲି ଥରୁଥାଏ।

ମୁଁ- କିଏ କାନ୍ଦୁଛ! କାହିଁକି କାନ୍ଦୁଛ! ତୁମକୁ ତୁମ ମା’ ରାଣ ସାମ୍ନାକୁ ଆସ। ମୋତେ ବହୁତ ଡର ଲାଗୁଛି। ମୁଁ ପା ତୁମର ଭାଇଟେ। କଣ ହେଇଛି କୁହ। ମୁଁ ତୁମକୁ ସାହାଯ୍ୟ କରିବି।

(ହଟାତ୍ ଝାଉଁ ଗଛଗୁଡାକ ଜୋରରେ ହଲିବାକୁ ଲାଗିଲା।ସୁଁ ସୁଁ ପବନ ବୋହିଲା।ଅନ୍ଧାର ରାତି।ଗାଡିର ଲାଇଟ ସେମିତି ଜଳୁଥାଏ। ଦେଖିଲି କିଏ ଜଣେ ଝାଉଁ ବଣ ଭିତରେ ଠିଆ ହେଇଛି। ଦଶ ବାର ବର୍ଷର ପିଲାଟେ।ଗାମୁଛାଟେ ପିନ୍ଧିଥାଏ। ଆଉ ଗୋଟେ ଗାମୁଛା ଦେହରେ ଘୋଡେଇ ହେଇଥାଏ।

ମୁଁ- ଆରେ କିଏ ତୁମେ! କାହିଁକି କାନ୍ଦୁଛ! ମୋତେ କୁହ।ତୁମକୁ ନିଶ୍ଚୟ ସାହାଯ୍ୟ କରିବି।

ପିଲାଟି- ତୁମେ ଆଗ ତୁମ ଗାଡିର ଲାଇଟ ବନ୍ଦ କର। ସତରେ ତୁମେ ସାହାଯ୍ୟ କରିବ! ତୁମେ କଣ କର!ତୁମ କାମ କଣ!

ମୁଁ- ମୁଁ ଖୁସିବାସିରେ ଓକିଲାତି କରେ। ସଉକ୍ ଫେସବୁକରେ ଲେଖା ଲେଖି କରିବା।

ପିଲାଟି- ଲେଖା ଲେଖି କର! ମୋ ବିଷୟରେ ତୁମର ସେ ଫେସବୁକରେ ଲେଖିପାରିବ! ମୋ ଦୁଃଖ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବ!

ମୁଁ- ହଁ ନିଶ୍ଚୟ! କୁହ! ତୁମେ କାହିଁକି କାନ୍ଦୁଛ!କଣ ହେଇଛି ତୁମର!ତୁମେ କିଏ!

ପିଲାଟି- ମୋ ନାଁ ତ କହିବି।ମୋତେ ଆଗ କୁହ ତୁମେ ବରକୋଳି ଖାଇବାକୁ ଭଲ ପାଅ!ନିଅ ଦି’ଟା ପାଟିରେ ପକେଇଦିଅ!ଆମ ବାଡି ବରକୋଳି ଭାରି ମିଠା।

ମୁଁ- ଆରେ କିଏ ତୁମେ! ବରକୋଳି! ଏବେ କଉଁଠୁ ପାଇଲ!ପୁଣି ଏତେ ରାତିରେ!

ପିଲାଟି- କହୁଛି ଶୁଣ। ମୁଁ ଗୋଟେ ଅତୃପ୍ତ ଆତ୍ମା।ଆଜିକି କେତେ ବର୍ଷ ହେଲାଣି ମୁଁ ଏଠି ବୁଲୁଛି।ମୋ ବାପା ମା’କୁ ମୁଁ ଖୋଜୁଛି।ମୁଁ ସେହି ବାର ବର୍ଷର ପିଲା।ମୋ ନାଁ ଧରମା।

ମୁଁ- ଧରମା! ତୁମେ ଧରମା! କାହିଁକି କାନ୍ଦୁଛ!ତୁମ ବାପା ମା’କୁ ଏଠି କଣ ଖୋଜୁଛ! ମୁଁ କିଛି ବୁଝି ପାରୁନି।

ପିଲାଟି- ହଁ ବାବୁ! ତୁମେ କଣ ବିଶ୍ୱାସ କରୁଛ ମୁଁ କୋର୍ଣାକର ମୁଣ୍ଡି ମାରିଲା ପରେ ସମୁଦ୍ରକୁ ଡିଆଁ ମାରିଦେଲି! ନିଜେ ଆତ୍ମହତ୍ୟା କରିଦେଲି! କାହିଁକି!

ମୁଁ- ଆଉ! କଣ ହେଲା କୁହ!

ପିଲାଟି- ଆତ୍ମହତ୍ୟା କାହିଁକି କରିବି!ବଞ୍ଚି ରହିଥିଲେ ମୁଁ ଦେଉଳର ମୁଣ୍ଡି ମାରିଛି ବୋଲି ହାଲ୍ଲା ହେଇଥାଆନ୍ତା ଆଉ ମରିଗଲେ କଣ ହାଲ୍ଲା ହବନି! ବରଂ ମରିଗଲେ କଥାଟା ବେଶୀ ହାଲ୍ଲା ହବ! ସମସ୍ତେ ଟୁପୁରୁ ଟାପୁରୁ ହେବେ।

ମୁଁ- ତୁମେ ତା’ହେଲେ ମନ୍ଦିର ଉପରୁ ଡେଇଁନ! ତୁମେ ଅାତ୍ମହତ୍ୟା କରିନ!

ପିଲାଟି- ମନ୍ଦିର ଉପରୁ ଡିଆଁ ମାଇଲି ଆଉ ସମୁଦ୍ରରେ ପଡିଲି!କେମିତି ୟେ କଥା ସମ୍ଭବ ହେଲା!ମନ୍ଦିର ଚୁଡାରୁ ଡେଇଁଥିଲେ ସେହି ମନ୍ଦିରରେ ତ ପିଟି ହେଇ ତଳେ ପଡିଥାଆନ୍ତି।ଥରେ ଭାବି ଦେଖ।ମନ୍ଦିରର ତଳ ଗୋଲେଇ କେତେ ବଡ! ଆଉ ଉପର ଚୁଡାର ଗୋଲେଇ!ଥରେ ନିଜେ ଭାବ ତ!ଜଣେ ଉପରୁ ଡେଇଁଲେ କଉଁଠି ପଡିବ!

ମୁଁ- ତେବେ ମୋତେ ଖୋଲିକି କୁହ ସତ କଣ!ମୁଁ କିଛି ଜାଣିପାରୁନି!

ପିଲାଟି- ମୁଁ ମୁଣ୍ଡି ମାରିସାରି ତଳକୁ ଓହ୍ଲାଇ ଆସିଲି। ସବୁ ବଢେଇ ମିଶି ମୋ ବାପାକୁ ବୁଝେଇଲେ ତୋ ପୁଅକୁ ରାତା ରାତି ଗାଁକୁ ପଠେଇଦେ। କେହି କିଛି ଜାଣିବେନି। ରାତିରେ ତୋ ପୁଅ ଆଇଥେଲା।ଦେଉଳର ମୁଣ୍ଡି ମାଇଲା।ସବୁ କଥା ଲୁଚିଯିବ।ଏଠି ରହିଲେ କଥା ଆଲୋଚନା ବେଶି ହବ।ତୋ ପୁଅକୁ ଦେଖିବାକୁ ସମସ୍ତେ ଆସିବେ।ଭଲ ହବ ତା’କୁ ତୁ ରାତି ନ ପାହୁଣୁରୁ ଗାଁ’କୁ ପଠେଇଦେ।

ମୁଁ- ତା’ପରେ! କଣ ହେଲା!

ପିଲାଟି- ମୁଁ ରାତି ନ ପାହୁଣୁ୍ରୁ ଗାଁ’କୁ ଫେରିଯିବାକୁ ବାହାରିଲି।

ମୁଁ- ସେଠୁ!ଫେରିଗଲ!!!

ପିଲାଟି- ହଁ। ଭୋର ସମୟ। ଏହି ବାଟେ ଯାଉଥାଏ।ବାପା ସାଙ୍ଗରେ ଦେଖାହେଇଛି। ବାରଶହ ବଢେଇଙ୍କୁ ବଞ୍ଚେଇ ଦେଇଛି।ମନ ଖୁସିରେ ଚାଲି ଥାଏ। କେମିତି ମୋ ମା’ ପାଖରେ ପହଞ୍ଚିବି।ସବୁ କଥା ତା’କୁ କହିବି।ଠିକ ଏହି ଜାଗାରେ ଚାରି ପାଞ୍ଚ ଜଣ ଆଗରୁ ଲୁଚିକି ଥିଲେ। ସେମାନେ ଝାଉଁ ବଣକୁ ଟେକିନେଇ ମୋ ତଣ୍ଟି ଚିପି ମୋତେ ମାରିଦେଲେ।

ମୁଁ- ହେ ଭଗବାନ! ତୁମ କଥା ମୁଁ ନିଶ୍ଚୟ ଲେଖିବି। ତୁମେ ଜାଣିଛ !ଏବେ ଆଉ ଗୋଟେ କୋର୍ଣାକ ମନ୍ଦିର କରିବାକୁ ଲୋକେ ବାହାରିଲେଣି!

ପିଲାଟି- ବାବୁ! ନାଁ ବାବୁ!ମୁଁ ଚାହେଁନା ଆଉ ଗୋଟେ କୋର୍ଣାକ ମନ୍ଦିର ହଉ। ଏମାନେ ସତରେ ବି କିଛି କରିବେନି।ଆଜିକୁ ଛବିଶ ବର୍ଷ ହେଲା ରାମ ମନ୍ଦିର କରିବେ ବୋଲି କହୁଛନ୍ତି!!! କଣ କରୁଛନ୍ତି!!! ୟେ ସବୁ କେବଳ ଲୋକଙ୍କୁ ବୋକା ବନେଇବାକୁ ଗୋଟେ ଖାଲି ପ୍ଲାନ।

ମୁଁ- ତୁମେ କାହିଁକି ମନା କରୁଛ! ହଉ ଆଉ ଗୋଟେ କୋର୍ଣାକ।ଭଲ ହବ। ଆମର ଦି’ଟା କୋର୍ଣାକ ମନ୍ଦିର ହେଇଯିବ।

ପିଲାଟି- ଏମାନେ ସବୁ ଗରିବଙ୍କ ପେଟରୁ କାଟି, ସେମାନଙ୍କୁ ହଇରାଣ ହରକତ କରେଇ ଯଉଁ କୋର୍ଣାକ ଗଢିବେ ସେଥିରେ ହଜାର ହଜାର ଧରମାଙ୍କର ଲୁହ ଲହୁ ମିଶିବ। ମୋ ଭଳିଆ କେତେ ଧରମା ୟେ ଝାଉଁ ବଣରେ ଘୁରି ବୁଲିବେ। ଦରକାର ନାହିଁ ସେମିତିକା କୋର୍ଣାକଟେ।ଆଜି ଗରିବ କଂସାରେ ପଖାଳ ନାହିଁ।କେତେ ଗରିବ ଗୁରୁବା ଡାକ୍ତରଖାନା ବାରଣ୍ଡାରେ ଗଡୁଛନ୍ତି।ବର୍ଷାଦିନେ ପଲିଥିନ ଖଣ୍ଡେ ନାହିଁ ଚାଳ ଉପରେ ପକେଇବାକୁ।କଉଁଠି ମା ତା’ ଛୁଆକୁ ବିକିଲାଣି ତ ଆଉ କଉଁଠି କିଏ କରଜରେ ବୁଡିକି ବିଷ ଖାଇଲାଣି। କେତେ ଧରମା ବୁଢା ବାପା ମା’ଙ୍କୁ ଛାଡି ଆଜି ସୁରଟ ପଳଉଛନ୍ତି ଗୋତି ଖଟିବାକୁ!କଣ ମିଳିବ ଆଉ ଗୋଟେ କୋର୍ଣାକ ମନ୍ଦିର କଲେ! କରିବାର ଅଛି ତ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲଟେ କର।କଣ ମିଳିବ ସେ ଦ୍ୱିତୀୟ କୋର୍ଣାକରୁ! ଭୁଲିଯାଅ ସେ କଥା। ଧରମା ଲୁହ ଲହୁରେ କଣ ଦରକାର ଆଉ ଗୋଟେ କୋର୍ଣାକ!!!

(ୟେ ଲେଖାଟି ସମ୍ପୁର୍ଣ୍ନ ମୋର ନୁହଁ। ପଚିଶ କି ତିରିଶ ବର୍ଷ ତଳେ ସଂଗୀତ ମହାବିଦ୍ୟାଳୟରେ ଡ୍ରାମାଟିଏ ଦେଖିଥିଲି।ସେଥିରେ ଟିକିଏ ନିଜସ୍ୱ ଟଚ୍ ଦେଇ ଲେଖିଛି।ସମ୍ପୁର୍ଣ କାଳ୍ପନିକ।)

Written by Sibasish TUTU mohapatra…

About city connector

Read All Posts By city connector

Leave a Reply

Your email address will not be published. Required fields are marked *