- Editorial, Stories

କବ ଲୌଟୋଗେ ??

Spread the love

ଗାଡି କାଢିଲା ବେଳେ କଲ୍ୟାଣୀ ଆସି ପଚାରିଲା –

– କବ ଲୌଟୋଗେ ??
-କ୍ୟୁଁ ???
-ରାକ୍ଷୀ ଥା !
– ଓଃ ! ଦୋ-ଢାଇ ଘଣ୍ଟା ଲଗେଗା ।
– ଓକେ।

ଗାଡି ଷ୍ଟାର୍ଟ କଲା ବିଭାସ୍ । ଆଜି ଛୁଟି ଦିନ ଥିଲା ।କୌଣସି ନିର୍ଦ୍ଧିଷ୍ଟ କାମରେ ସେ ସକାଳଟାରୁ ବାହାରକୁ ବାହାରି ନଥିଲା। ଘେରାଏ ବୁଲି ଆସି, ପଢିହାରୀ ଦୋକାନରେ ଗୋଟେ ଚା’ ଆଉ ସିଗ୍ରେଟ ଖଣ୍ଡେ ଫୁଙ୍କିଦେଇ ଫେରି ଆସିଥାନ୍ତା ! ହପ୍ତାକର ଅସନାକୁ ଧୋଇପୋଛି ସାରି, ଆଜି ଷ୍ଟିମ୍ ରାଇସ୍ ଆଉ ଦେଶୀ ଡାଲମା ଟେ ବନେଇ ଖାଇବାର ଇଛା ଥିଲା। ତା’ପରେ ଶୋଇଥାନ୍ତା ସାତଟା ଯାଏଁ। ମନେ ପକେଇଥାନ୍ତା ମନୀଷାକୁ। ସାତଟା ତିରିଶରେ ପହଞ୍ଚିଥାନ୍ତା ଆଇଲେକ୍ସରେ। ଫ୍ରାଇଡେ ରିଲିଜରେ ଅକ୍ଷୟ କୁମାରର ଖେଳଟେ ଚାଲିଛି। ତାକୁ ଦେଖିଥା’ନ୍ତା , ପପକର୍ଣ୍ଣ କୋନ୍ ଟେ ଧରି। ଫେରିବା ବେଳେ , ସେ ରାଜସ୍ଥାନୀ ହୋଟେଲରେ ମଗାଇଥାନ୍ତା ନାନ୍ ଆଉ ଅଣ୍ଡାତଡ଼କା। ପୁଣି ଆସି ବିଛଣା ଝାଡି ଶୋଇଥାନ୍ତା। ନିଦ ନ ଆସିଲେ ସିଗ୍ରେଟ ଫୁଙ୍କନ୍ତା। ଘର ସାରା ଧୂଆଁ ଭରିଗଲେ , ତା’କୁ ଖୁବ୍ କାଶ ହୁଅନ୍ତା । ବେସିନ ଉପରେ ଅଧଘଣ୍ଟାଏ ଅ – ଅ ହେଲାପରେ ପାଣିଟିକେ ପିଇନିଅନ୍ତା । ଏଥର ତାକୁ ନିଦ ଆସିଯା’ନ୍ତା । ସେ ମନୀଷାମଗ୍ନ ହୋଇପଡନ୍ତା ରାତିସାରା ।

ବିଲେଇ ଓଗାଳିଲା ପରି , ବାଟ ଓଗାଳିଲା ସକାଳଟାରୁ କଲ୍ୟାଣୀ । ଠିକ ତା’ ସାମ୍ନା ଫ୍ଲାଟ୍ ରେ ଚୌଧୁରୀ ଅଙ୍କଲଙ୍କର ,ପ୍ଲସଟୁ ପଢୁଆ ଝିଅ। ଭାରି ଭଲ ଝିଅ । ଖୁବ୍ ଗେହ୍ଲାଟେ ବି। ପାଠ ସହ ଭଲ ଆର୍ଟ କରେ। ବିଭାସ୍ ର ବାର୍ଥଡେରେ ଅବିକଳ ତା’ ପରି ଫୋଟୋଟେ ପେଣ୍ଟିଂ କରି ଗିଫ୍ଟ ଦେଇଥିଲା ଏଇବର୍ଷ । ଛୋଟବେଳୁ ପେଣ୍ଟିଂ ଶିଖୁଛି । ପ୍ଲସଟୁ ହେଲେବି, ବିଭାସ୍ କୁ କଲ୍ୟାଣୀ ଟିକେ ମାଚ୍ୟୋର୍ଡ୍ଡ ଲାଗେ । ରଙ୍ଗ ତୁଳୀ ଧରୁଥିବା ଝିଅମାନେ ସାମାନ୍ୟ ବୟସ୍କ ଥାନ୍ତି। ଭାବ ବୁଝି ନ ପାରିଲେ କେ’ କଣ ଛବି ଆଙ୍କିପାରେ ?

ସେଇ କଲ୍ୟାଣୀ , ତା’ ହାତରେ ରାକ୍ଷୀ ବାନ୍ଧିବାର ଇଛା ପ୍ରକଟ କରୁଛି !!
ବିଭାସ୍ ଆଉ ପଢିହାରୀ ଦୋକାନ ଆଗରେ ବ୍ରେକ ମରିଲାନି। ସିଧା ଚାଲିଲା ଏଚ.ପି ପେଟ୍ରୋଲ ପମ୍ପ୍।

– ସାର ! କେତେ?
– ପାଁଶ ।

ସେଭିଂ ବି ହୋଇ ନଥିଲା ସେ’ ଏତେ ସକାଳୁ। ଖାଲି ଯାହା ବ୍ରଶ ଟାଏ କରି ବାଥରୁମ ସାରି ଦେଇଥିଲା। ଏନ ଏଚ ଉପରକୁ ଗାଡି ଉଠେଇଲା ବେଳେ ,ହେଲମେଟ ଫିତାଟାକୁ ଲକ୍ କରିନେଲା ଭଲକି। ଗାଡିର କଣ୍ଟାକୁ ଷାଠିଏ ଯାଏଁ ନେଲାପରେ ଫିକ୍ସ୍ କଲା , ଆଉ ଅଧିକ ନୁହେଁ କି କମ୍ ବି ନୁହେଁ। ରିଜର୍ଭ ଲାଗିଲା ଯାଏଁ ଯିବ ସେଠୁ ପୁଣି ଟାଙ୍କିଫୁଲ୍ କରି ଫେରି ଆସିବ। ଲଂଗ ଡ୍ରାଇଭ୍ ! ବାଟରେ କିଛି ଖାଇବାକୁ ନିଶ୍ଚୟ ମିଳିଯାଇ ପାରେ।

●●●

ସବୁଦିନ ଗାଡି ଧରି ବାହାରିବା ବେଳେ କୁନି ହେଲମେଟ୍ ଟା’ ହାତକୁ ବଢ଼ାଇ କୁହେ –
– ଧିରେ ଯିବୁ।
– କାଇଁ ? ଡରୁଛୁ ? ପଡିଯିବି ବୋଲି?
– ହଁ ! ପଡିଗଲେ ତୋ’ ହାତ ଭାଙ୍ଗିଯିବ ।
– ସେଠୁ?
– ଭାଇ ମାନଙ୍କ ହାତ , ଜମା ଭାଙ୍ଗିବା କଥା ନୁହେଁ !
– ଚୁପ୍ ! ସବୁଦିନ ଗୋଟେ ଡ଼ରେଇଲା।
ଯାଃ! ହୋମୱାର୍କ କରେ।

ସତକୁସତ ଦିନେ ହାତ ଭାଙ୍ଗିଗଲା। କୁକୁରଟେ ପଶି ଆସିଲା। ସମ୍ଭାଳି ପାରିଲାନି ବିଭାସ୍। ଏକୋଇଶ ଦିନଯାଏଁ ଜିଦ୍ କରିକରି , କୁନି ମଙ୍ଗଳା ମନ୍ଦିର ଯାଇ ,ଅଧିଆ ପ୍ରାୟ ପଡିଆସୁଥିଲା ବୋଲି ବୋଉ କହୁଥିଲା। ସେଦିନ ପ୍ଲାଷ୍ଟର ଖୋଲାବେଳେ କୁନି କଲେଜ ଗଲାନି। ଗ୍ରାଇଣ୍ଡରରେ ଯେବେ ସେ’ ଡ୍ରେସିଂ ଵାଲା ପ୍ଲାଷ୍ଟରଟାକୁ କାଟିବାକୁ ଲାଗିଲା, କୁନି ଚିଲେଇଲା ଭାରି –

– ହେଃ ହେଃ ,ହାତ କଟିଯିବ।
– ଯାଃ! ପଳା ଏଠୁ ।

ରାଗରେ ପାଟି କଲା ବିଭୁ।

ବାପା କୁନିକୁ ଟାଣିଟୁଣି ଡ୍ରେସିଂ ରୁମ ବାହାରକୁ ନେଇଗଲେ । ବିଭୁ ପଦାକୁ ବାହାରିବା ବେଳେ ପାଗଳିଙ୍କ ପରି କୁଣ୍ଢେଇ ପକାଇ ରଡି ଛାଡିଲା କୁନି। ହାତଟାକୁ ଏଇବାଗରେ ଚୁମିବାରେ ଲାଗିଲା ଯେ’ ସାରା ନର୍ସିଂହୋମ ସ୍ତବ୍ଧ ହୋଇଗଲା !!

ଡକ୍ଟର ଦାଶ୍ ବି ଛଳଛଳ ହୋଇଗଲେ କେମିତି ଗୋଟେ !!

●●●

ଗାଡିର ସ୍ପୀଡୋମିଟରକୁ ଦେଖିଲା ବିଭାସ୍ । ସିକ୍ସଟି ସେଭେନ ! କମାଇଦେଲା ଏକସିଲେଟର ତୁରନ୍ତ ପଞ୍ଚାବନ ଯାଏଁ। ଘୁଂ କରି ବାଇକ୍ ଟାଏ ତାକୁ ଓଭରଟେକ୍ କରିଗଲା। ପଛରେ ଦୁଇଗୋଡ଼ ଖୋଲି ପୁଅଙ୍କ ବାଗିଆ ବସିଥିଲା ଝିଅଟେ ଲାଗିହୋଇ।ପିଲାଟାର ହାତଭର୍ତ୍ତି ରାକ୍ଷୀ ସବୁ ଖୁବ୍ ଦୂରଯାଏଁ ଚକମକ କରୁଥିଲା ।
ଗାଡିର ଡିଜିଟାଲ୍ ଘଡିରେ ସେତେବେଳେକୁ ସାଢେଦଶଟା ବାଜି ସାରିଥିଲା । ବିଭାସ୍ ଜାଣିନେଲା , ସେଥିପାଇଁ ତାକୁ ଭୋକ ଲାଗୁଥିଲା ବୋଲି । ଆଗ ବଜାରରେ ଗାଡି ଧୀରେ କଲାରୁ ଦେଖିଲା ସାଇକେଲ ଉପରେ ଦୁଇଟି ବଡ଼ ସିଲଭର ହାଣ୍ଡି ଧରି , ଜିଓ ଆଡ଼ଭରଟାଇଜ୍ ଵାଲା ବଡ଼ ଛତା ଟିଏ ତଳେ ଠିଆ ହୋଇଛି ଦହିବରା ଵାଲା । ଓଭରଟେକ୍ ବାଇକରସ୍ ବି ଅଟକିଛି ସେଠାରେ । ଝିଅଟି ସେତେବେଳେକୁ ଖାଇବା ଆରମ୍ଭ କଲାଣି !!

ଅଟକାଇଲା ବିଭାସ୍ ।
କହିଲା – ଦିଅ !
ତାରି ଭିତରେ ଆଳୁଦମ୍ ଟିକେ ଖାଉଖାଉ ପଡିଗଲା ଝିଅଟିର ଟପ୍ ଛାତିରେ । ଇ’ ଇ’ କରି ଡେଇଁବା ପ୍ରାୟ ହେଲା ଫୁଲେଇ ଝିଅଟି । ପକେଟରୁ ରୁମାଲ କାଢି ତୁରନ୍ତ ପୋଛି ପକାଇଲା ପିଲାଟା ତା’ ସାରା ଛାତି। ବିଭାସ୍ ର ଖାଇବା ସରିଲାଣି ସେତେବେଳୁ। ଏଥର ସେ ଗାଡି ଷ୍ଟାର୍ଟ କଲା ପୁଣି ।

●●●

ଏ.ଏସ୍.ଡି ! ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟ୍ !

ବାପା ଫୋନ୍ କରିଥିଲେ । କୁନିର ଛାତିରେ କଣା !!
ଏକ୍ସ୍ରେ ରିପୋର୍ଟରେ ବାହାରିଛି । ବୋଉର କାନ୍ଦ ଶୁଭୁଥିଲା ।
ସେତବେଳକୁ ବିଭୁ ଖଲ୍ଲିକୋଟ ଓଭରସିଜ୍ ବ୍ୟାଙ୍କ ରେ ଜଏନ୍ କଲାଣି ।
– ସେ କେଉଠି ?
– ଶୋଇଛି ।
– ତା’କୁ ଡିଟେଲ୍ସ୍ ଜଣାଇବନି ।
– ନା , କହିନୁ ।
– କହିନୁ ନୁହେଁ । ଜମା କହିବନି ।
– ହୁଁଉଁଉଁଉଁ । ଆପୋଲୋ ନେବା ନା ଏମ୍ମସ୍ ?
– ମୁଁ ଜଣେଇବି । ସାଙ୍ଗ ଡାକ୍ତର ମାନଙ୍କୁ ଟିକେ ପଚାରିନିଏ ।
– ଜଲଦି କହ । ଗୁଡାଏ ଖର୍ଚ୍ଚ ଲାଗିବ । ଯୋଗାଡିବାକୁ ସମୟବି ।
– ବ୍ୟସ୍ତ ହୁଅନି । ମୁଁ ଅଛି ।
– ହଉ , ରହୁଛି ।
ସ୍କାନ୍ ରିପୋର୍ଟ ସବୁ ମେଲ୍ କରିଦେଲା ବିଭୁ , ଆକାଶ୍ ପାଖକୁ । ଡକ୍ଟର ଆକାଶ୍ ତା’ ହାଇସ୍କୁଲ ମେଟ୍ । ସେ ତା’ ସିନିୟରଙ୍କ ସହ ବିମର୍ଷ କରି ଘଣ୍ଟାଏ ପରେ ହ୍ୱଆର୍ଟସ୍ ଆପ୍ କଲା ।

– କ୍ରିଟିକାଲ୍ । ସରି । ସର୍ଜରୀ ରେୟାର୍ ସକ୍ସେସ୍ । ତେବେ ପେସେଣ୍ଟ୍ ର ବୟସ କମ୍ । ଚାନ୍ସ୍ ନେଇହେବ ।
– ଆକାଶ୍ ! ଟ୍ରାନ୍ସପ୍ଲାଣ୍ଟ୍ କରିହେବନି ?
– ପାଇବୁ କେଉଠୁଁ ?
– ମୋ’ର ???
– ଷ୍ଟୁପିଡ୍ !! ହାର୍ଟ , କିଡନୀ ପରି ନୁହଁଯେ’ ସିଙ୍ଗଲ୍ ରେ ଜଣେ ସର୍ଭାଇଭ୍ କରିନେବ ।
– ଓଃ! ତେବେ ??
– ଆଇ ଉଇଲ୍ ଟ୍ରାଇ ମାଇଁ ବେଷ୍ଟ୍ ।

●●●

ସ୍ପିଡୋମିଟର୍ ର କଣ୍ଟା ପୁଣି ପଁଷଠି କ୍ରସ୍ କରୁଥିଲା । ଟିକେ ଧିମା କରିନେଲା ବିଭାସ୍ । ବାଇକର୍ସ ପିଲାଟା ପୁଣି ଥରେ କ୍ରସ୍ କରିଗଲାଣି ତାକୁ । ଓଭରଟେକିଂ ବେଳେ ଝିଅଟା ବୁଲିବୁଲି ଚାହୁଁଥିଲା ତା’କୁ ।

ବାଟ କିଛି ଗଲାପରେ ଘାଟି । ରାସ୍ତା ଦୁଇକଡେ ସତର୍କ ସୂଚନା । ପାଞ୍ଚ ରୁ ତିନିକୁ ଗିୟର୍ ବଦଳାଇନେଲା ବିଭୁ । ଇଞ୍ଜିନ୍ ର ଶବ୍ଦ ଟିକେ ଭିନ୍ନ ହୋଇଗଲା । ରାସ୍ତା ଲମ୍ବିଥିଲା ଅଙ୍କାବଙ୍କା ହୋଇ ଆକାଶ ଆଡେ । ଘାଟି ଚଢୁଥିଲା ବିଭୁ ।

ଜୀବନର ରାସ୍ତାବି କିଛିକମ୍ ଆରୋହଣ – ଅବତରଣମୟ ନୁହେଁ ! କେବେ ଆକାଶରେ ପହଁଞ୍ଚାଏ , ତ କେବେ ପାତାଳକୁ ଠେଲିଦିଏ !!!!!

ଦୁଇଧାରରେ ଘଞ୍ଚ ସବୁଜିମା । ସବୁଜ ଉନ୍ମାଦ କରେ । କେତେଶହ ଫୁଟ୍ ଉପରେ ଏବେ ବିଭାସ୍ ! ମୁଣ୍ଡ ଛୁଉଁଛି ଆକାଶ । ତଳେ ପୃଥିବୀ । ମଝିରେ ଝୁଲୁଛି ମଣିଷ !!

ତା’ ବାଇକ୍ ପଛରେ ବସିଥା’ନ୍ତାକି ଏବେ ମନିଷା ! ଦୁଇ ଗୋଡ ଖୋଲି ! ବିଭୁ ଅନାନ୍ତାନି ଆଉ ସ୍ପିଡୋମିଟର୍ କୁ ।
ମନିଷା କେବେ ପୁଅବାଗିଆ ବସେନି । ବିଭାସ୍ କୁ ଲାଗେ , ଏଇ ଝିଅବାଗିଆ ବସୁଥିବା ପ୍ରେମିକା ଗୁଡାକୁ , ଅତିସହଜରେ , ଭାବପ୍ରବଣତାର ଲୁହ ଗଡାଇ , ଅଭିଭାବକ ମାନେ ନିଜ ନିୟନ୍ତ୍ରଣ କୁ ନେଇଯାଇପାରନ୍ତି । ସେମାନଙ୍କ ପ୍ରେମରେ ସେଇ ଦୁର୍ଦ୍ଦଶା ଘଟିଥିଲା । କୌଣସି ଏକ ରାକ୍ଷୀ ପୂର୍ଣ୍ଣିମା ରେ ସରି ଟାଏ ଲେଖି ମନିଷା ତା’ ଠିକଣା ରେ ରାକ୍ଷୀଟିଏ ପୋଷ୍ଠ କରିଦେଇ , ସମ୍ପର୍କ ରେ ପୂର୍ଣ୍ଣଛେଦ ଟାଣିଦେଇଥିଲା !!!!

ଘାଟିଟା ପୁରା ଶୁନଶାନ୍ ଲାଗୁଥିଲା । ଆଗ ବାଙ୍କ ପାଖରେ , ପୁଣିଥରେ ଦୂରରୁ ଦୃଶ୍ୟ ହେଲେ ସେଇ ବାଇକର୍ସ । କିଛି ଗୋଟେ ଫଟୋସେସନ୍ ଚାଲିଥିଲା ଗାଡି ଅଟକାଇ । ପାଖେଇବାରୁ ବିଭାସ୍ ଦେଖିଲା , ଦୁହେଁ ଖୁବ୍ ଅନ୍ୟମନସ୍କ ହୋଇଯାଇଛନ୍ତି । କାହାର ଆସିବା , ଦେଖିବା ଫରକ୍ ପଡୁନି ଦୁହିଁଙ୍କୁ । ସେମାନଙ୍କୁ ଅତିକ୍ରମ କରିଗଲା ବିଭୁ ।
ରିୟର୍ ମିରର୍ ରେ ଲକ୍ଷ୍ୟ କଲା । ସତରେ ମଣିଷ ଦେହରେ ଜନ୍ତୁଟାଏ ଛପିଥାଏ । ନିରୋଳାରେ ଲମ୍ଫିଦିଏ !!!
ସାମ୍ନାରେ ଟ୍ରକ୍ ଟାଏ ହଠାତ୍ ଆସିଯିବାରୁ , ସତର୍କ ହୋଇପଡିଲା ବିଭାସ୍ ।

●●●

ଶେଷ ସମୟଟା ଥିଲା ଭାରି ବିଦାରକ । କୁନିକୁ ସିଧା ଚାହିଁ ପାରୁନଥିଲା ବିଭୁ । ବେଡ୍ ତଳଧାରରେ ବସି ଖାଲି ତା’ ପାଦ ଦୁଇଟାକୁ ଆଉଁସି ଚାଲିଥିଲା । ନିହାତି କାମ ନପଡିଲେ ବାପା କ୍ୟାବିନ୍ ଭିତରକୁ ଆସୁନଥିଲେ । ବୋଉ ଖାଇବାପିଇବା ଛାଡି ଘୁମୁରୁଥିଲା । ଡକ୍ଟର ମାନେ ଚୁପ୍ ରହୁଥିଲେ। ଚୁପ୍ ରହିବାକୁ ପରାମର୍ଶ ଦେଉଥିଲେ ।
ଏ ନ’ ମାସ ଭିତରେ କେତେ ପର୍ବ ତ୍ୟୋହାର ଆସି ଚାଲିଯାଇଥିଲା। ନା ଜଣାପଡୁଥିଲା , ନା ଜାଣିବାଟା ଜରୁରୀ ଥିଲା ।
କୁନି ଝୋଟି ଆଙ୍କେ । କେଡେ ବାଗରେ ମୁରୂଜ ଟାଣେ । ତିଆରିଦିଏ ଅବିକଳ ଜଗନ୍ନାଥ । କୁହେ –
– ଜଗନ୍ନାଥ ସବୁଠୁଁ ସୁନ୍ଦର ଠାକୁର । ଆଖିପତା ନାହିଁ ତାଙ୍କର । ମୋନାଲିସା ପରି ଭିନ୍ନ ଆଉ କ୍ୟୁଟ୍ ।
କୁନି ଚକୁଳି ତିଆରେ । ପେପର୍ ଚକୁଳି । ଖୁବ୍ ପତଳା ପତଳା । ବୋଉ ପାରେନି । ମା ହୋଇ ଝିଅ ଠୁ ସଣ୍ଠଣା ଶିଖେ । ବୋଉ କହେ –
– ସେ ମୋବାଇଲ୍ ରୁ ଏସବୁ ଶିଖିଛି । ଆମବେଳେ କେଉ ମୋବାଇଲ୍ ଥିଲା ଯେ ?

ବାପା କହୁଥିଲେ ଆଉ କେହି ଲୋନ୍ ଦେବେନି । ନୂଆ ଚାକିରୀ ରେ , ବିଭୁ ସର୍ବାଧିକ ଋଣ କରିସାରିଥିଲା । ବୋଉପାଖରେ ରୁପା ମେଞ୍ଚେ ପଡିଥିଲା ଯାହା ।
ଏତେ ଛୋଟ ବୟସରୁ ମେଡିକ୍ଲେମ୍ ଇନ୍ସ୍ୟୁରାନ୍ସ୍ କରିବାକଥା କେହି ଚିନ୍ତା ବି କରିନଥିଲେ । ଏମିତିକି ଏଯାଏଁ ବିଭୁ ନିଜର ବି କରିନଥିଲା ।

●●●

ଘାଟି ତଳକୁ ରାସ୍ତାରେ ଖସିଆସିସାରିଥିଲା ବିଭୁ ଏବେ । ସେ ବାଇକର୍ସ ପିଲାଟି କେତେବେଳୁ କାଟି ଚାଲିଗଲାଣି ତା’କୁ । ପିଲାଟିର ହାତରେ ବନ୍ଧାହେଇଥିଲା ହାତେ ରାକ୍ଷୀ । ଢେର୍ ସନ୍ଦେହ ରହିଗଲା ବିଭୁ ମନରେ । ଦୁହେଁ ପ୍ରେମଯୋଡି ନା ନିରୋଳା ଭାଇଭଉଣୀ !!! କିଛି ବି ହେଇପାରନ୍ତି । କେତେ ଶ’ କିଲୋମିଟର ଆଗପଛ ହେବା ଭିତରେ , ସେ ଦୁହିଙ୍କଠାରେ ଉଭୟ ବାତ୍ସଲ୍ୟତା ଆଉ ଆବେଗପଣ ଦେଖିପାରିଥିଲା । ଆଜିକାଲିର ସମ୍ପର୍କ ସବୁ ଢେର୍ ଅବୁଝା !!!
ହୁଏତ ତା’ର ବୁଝିବାରେ ଭୁଲ୍ ହେଉଥିବ ! ଏସବୁରେ ଏତେ ମୁଣ୍ଡ ନଖେଳାଇଲେ ଭଲ ।

ଏଥର ଗାଡିରେ ରିଜର୍ଭ ଲାଗିଲା । ଗାଡି ରଖି ଘଡି ଦେଖିଲା ବିଭୁ । ଗୋଟାଏ ! ଫେରିବାକୁ ହେବ । କେଉଁ ଏକ ରାସ୍ତାକଡରେ ଢାବା ଦେଖି ଖାଇବାକୁ ହେବ ମାଟିହାଣ୍ଡି ମାଂସ । ଆଜି ରବିବାର । ଏଇଦିନଟାରେ ଟିକେ ମନଭରି ଖାଇହୁଏ । ହଜମ ବି କରିହୁଏ । ଗୋଟେ ଚିଲ୍ଡ୍ ବିୟର୍ ବି ତା’ସହ ପି’ ହୁଅନ୍ତା । କିନ୍ତୁ ମନାକରିଛି ମନିଷା । ଡ୍ରାଇଭିଂ ବେଳେ ନୋ ଆଲକହଲ୍ । ମନିଷାର ଢେର୍ କଥା ଏଯାବତ୍ ବିଭାସ୍ ମାନେ । ଏକଥା ଜାଣିବାକୁ ସେ କିନ୍ତୁ ପାଖରେ ନାହିଁ ।

ଜୀବନ ଭାରି ଗ୍ରହଣଶୀଳ । ବହୁ ଯନ୍ତ୍ରଣା କୁ ବି ଗ୍ରହଣ କରିବାକୁହୁଏ । କାରଣ ମଣିଷକୁ ବଞ୍ଚିବାକୁ ଥାଏ ।

କୁନିର ଶେଷ ସତ୍ୟକୁ ବି ଗ୍ରହଣ କରିନେଇଥିଲା ବିଭୁ । ଗ୍ରହଣ କରିନେଇଥିଲେ ବାପାବୋଉ ଏ ଦୁଇବର୍ଷ ଭିତରେ ।
ବୋଉର ଏବେ ନୂଆ ଜିଦ୍ ତା’ ବାହାଘର ନେଇ ଚାଲିଥିଲା ।

●●●

ପଢିଆରୀ ଦୋକାନ ଆଗରେ ଆସି ଈଞ୍ଜିନ୍ ବନ୍ଦ କଲାବେଳକୁ ମୁହଁସଞ୍ଜ । ସିଗ୍ରେଟ୍ ଟା ବଢାଉବଢାଉ , ପଢିହାରୀ ମୁଚୁକୁନ୍ଦ ହସ ଛାଡିଲା । ତା’ ହାତଯାକ ରାକ୍ଷୀ ଭର୍ତ୍ତି ।
– କେତୁଟା ଭଉଣୀ କି ?
– ନାଇଁମଁ ସାରେ । ଆଖପାଖ ସବୁ ମିଶିଗଲେ ।
– ଭଲଭଲ ।

ଗେଟ୍ ଟା ଖୋଲି , ଭିତରକୁ ଆସିଲା ବିଭାସ୍ । ରୁମ୍ ତାଲା ଖୋଲି ବନ୍ଦ କରିଦେଲା ଭିତରୁ । ଥକ୍କି ସାରିଥିଲା ଭାରି । ଗଡିପଡିଲା ବିଛଣାରେ ଲମ୍ବହୋଇ । ଅସନା କପଡାର ପାହାଡ଼ ଚାହିଁ ରହିଥିଲେ ଚଟାଣ ଉପରୁ । ପଡିଥା’ନ୍ତୁ ।
କଡ଼ ଲେଉଟାଇଲା ବିଭୁ । ମୋବାଇଲର ଗ୍ୟାଲେରୀ କୁ ଯାଇ ପୁରୁଣା ଫୋଟ ସ୍କ୍ରୋଲ୍ କରିଚାଲିଲା । ତାରିଖ ସମୟ ଦେଇ ରହିଛି ଫଟୋସବୁ ।
କେଉଠି କୁନି ଲାଉ ହୋଇପଡିଛି ତା’ ପିଠିରେ । କେଉଠି ମାଙ୍କିଡି ପରି ମୁହଁ କରି ଖତେଇ ହେଉଛି ତା’କୁ । କେଉଠି କାନ୍ଦିକାନ୍ଦି ଆଖି ଫୁଲାଇଛି । କେଉଁ ଫଟୋରେ ଏଡିଟ୍ କରି ଲେଖିଛି , ବେଷ୍ଟ୍ ବ୍ରୋ’ ଇନ୍ ଓ୍ବାର୍ଲ୍ଡ ।
ସବୁଠାରୁ ବେଶି ଭଲଲାଗେ ବିଭୁକୁ ସେ ଶାଢ଼ୀ ପିନ୍ଧା ଫଟୋ । ବୋଉର ଶାଢୀଚୂଡି ପିନ୍ଧି ନୂଆବୋହୂପରି ସଜେଇ ହୋଇ ଫଟୋ କାଢିଛି କୁନି । ପୁରା ବୋଉପରି । ଏକଦମ୍ ବୋଉପରି ସୁନ୍ଦରୀ ।
କୁନି …

କଲିଂବେଲ୍ କିଏ ମାରୁଥିଲା ଆସି । ଖୋଲିବାରୁ ପୁପୁନ୍ । ସାମ୍ନା ଚୌଧୁରୀ ଅଙ୍କଲ୍ ଙ୍କ ସାନପୁଅ । କଲ୍ୟାଣୀର ସାନଭାଇ ।

– କ୍ୟା ?
– ଦିଦି ବୁଲାରେହିହୈ ।
– ବୋଲ୍ ଦେନା ଅଗଲେ ସାଲ୍ କୋ ।
ପିଲାଟା ବୁଝିଲାକି ନାହିଁ କେଜାଣି ? ବିଭୁ କିନ୍ତୁ ଦରଜା ବନ୍ଦ କରିଦେଲା ଜୋର୍ କରି । ମିରର୍ ଆଗକୁ ଆସି ଖୁବ୍ ଯୋର୍ ରେ ପାଟିଟାଏ କଲା –

– ନାଃ !!! କଲ୍ୟାଣୀ ମାନେ କେବେ କୁନି ନୁହଁନ୍ତି !!!

■ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ■

About city connector

Read All Posts By city connector

Leave a Reply

Your email address will not be published. Required fields are marked *